*ଢେଙ୍କାନାଳ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉତ୍ସବ ପାଳିତ ହୋଇଛି l* ଢ଼େଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )ଅଦ୍ୟ ତା – ୦୭.୧୧.୨୦୨୬- ଆଜି ସ୍ଥାନୀୟ ପି.ଏମ. ଶ୍ରୀ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ଠାରେ ସମଗ୍ର ଶିକ୍ଷା ପକ୍ଷରୁ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ, ନିଜର ଅନ୍ତର୍ନିହିତ ପ୍ରତିଭା ଉପରେ ପୂର୍ଣ୍ଣ ବିଶ୍ୱାସ ରଖି , ଏହା ମୁଁ ନିଶ୍ଚୟ କରିପାରିବି ବୋଲି ଦୃଢ଼ ନିଶ୍ଚିତ ହେବାକୁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଚ଼ରିତ୍ର ଗଠନ ସହିତ ନିଜର କର୍ମ ଓ ଧର୍ମ ଆଚରଣ ପ୍ରତି ଯତ୍ନବାନ ହେବାକୁ କହିଥିଲେ । ପାଠ ସହିତ ଶାଠ ଉପରେ ଧ୍ୟାନ ଦେଇ, ଖେଳ-କୁଦ, ନୃତ୍ୟ, ଗୀତ ଆଦିରେ ପାରଦର୍ଶିତା ଲାଭ କରିବା, ପ୍ରଶାସନିକ ସେବା ଦ୍ୱାରା ସମୃଦ୍ଧ ରାଷ୍ଟ୍ର ନିର୍ମାଣ ପାଇଁ ସଂକଳ୍ପ ନେବାକୁ ସେ ଆହ୍ୱାନ ଦେଇଥିଲେ । ଫଳର ଆଶା ନ ରଖି ନିଜର କର୍ମ କରିବା ସହିତ ଦେଶମାତୃକାକୁ ଭଲ ପାଇବା ପାଇଁ କହି ସେ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଶିକ୍ଷା ଓ କାରୁକାର୍ଯ୍ୟ ଭିତ୍ତିକ ୨ ଗୋଟି ଷ୍ଟଲକୁ ମୁଖ୍ଯ ଅତିଥି ଉଦଘାଟନ କରିଥିଲେ । ଉତ୍ସବରେ କାମାକ୍ଷାନଗରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଶତୃଘ୍ନ ଜେନା ଏବଂ ପରଜଙ୍ଗର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିଭୂତି ଭୂଷଣ ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ଯ ଉନ୍ନୟନ ଅଧିକାରୀ ଶ୍ରୀ ଦିପ୍ତୀ ରଂଜନ ସେଠୀ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମଣ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପାଠ ଓ ଶାଠ ମାଧ୍ୟମରେ ନିଜକୁ ପ୍ରସ୍ତୁତ କରିବାକୁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପରାମର୍ଶ ଦେବା ସହ ପିଲାମାନଙ୍କ ଅନ୍ତର୍ନିହିତ ଶକ୍ତି ଓ ଗୁଣାବଳୀର ପୂର୍ଣ୍ଣ ବିକାଶ ପାଇଁ ଅଭିଭାବକ, ଶିକ୍ଷକ ଓ ଗୁରୁଜନମାନେ ଯତ୍ନବାନ ହେବାକୁ ଆଶା ବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ଜିଲା ଶିକ୍ଷା ଅଧିକାରୀ ଶ୍ରୀ ପରେଶ ଚ଼ନ୍ଦ୍ର ପାତ୍ର ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସଂପର୍କରେ ସୂଚ଼ନା ପ୍ରଦାନ କରିଥିଲେ । ଗତ ସେପ୍ଟେମ୍ବର ୨୧ ରୁ ୨୩ ତାରିଖ ମଧ୍ୟରେ ଢ଼େଙ୍କାନାଳ ଜିଲ୍ଲାର ୧୩୬ ଟି କ୍ଲଷ୍ଟର ରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିତର୍କ, ପ୍ରବନ୍ଧ ଲିଖନ, କୁଇଜ୍, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ବକ୍ତୃତା, ସଂଗୀତ, ଓଡ଼ିଆ ହସ୍ତାକ୍ଷର ଓ ଶ୍ରୁତି ଲିଖନ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, ଚିତ୍ରକଳା, ଶିଳ୍ପକଳା ଆଜି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉତ୍ସବ ପାଳନ ଅବସରରେ ଆଜି ୧୦ଟି ଇଭେଣ୍ଟରେ ୩୦ ଗୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଅଛି । ଏହି ସମସ୍ତ ପ୍ରତିଯୋଗିତାରେ କ୍ଲଷ୍ଟର ସ୍ତରରେ କୃତୀତ୍ବ ହାସଲ କରିଥିବା ୪୫୫ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି ଏବଂ ଜିଲ୍ଲା ସ୍ତରରେ କୃତକାର୍ଯ୍ୟ ଛାତ୍ରଛାତ୍ରୀ ମାନେ ଆସନ୍ତା ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହାଇସ୍କୁଲ ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି । ଶିଶୁମାନଙ୍କୁ ଉତ୍ତମ ଶିକ୍ଷାଦାନ କରୁଥିବା ବଣସିଂ ପ୍ରାଥମିକ ବିଦ୍ୟାଳୟର ପାରଦର୍ଶୀ ଶିକ୍ଷୟତ୍ରୀ ଶ୍ରୀମତୀ ସୁଚୀସ୍ମିତା ସେଠୀ ଏବଂ ତାଣ୍ଡିମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ମୋନାଲିସା ବିଶ୍ୱାଳଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୌମ୍ୟାଶ୍ରୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
