କଲରାପତରିଆ ବାଘ ଛାଲ ଜବତ ଘଟଣାରେ ଜାମିନ ନାମଞ୍ଜୁର।
ଗଜପତି (ଟିକି ଲିମା)
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଗଜପତି ଜିଲ୍ଲାରେ ଦିନକୁ ଦିନ ଶିକାରୀଙ୍କ ଦୌରାତ୍ମ୍ୟ ଯୋଗୁଁ ଏଠାରେ ଥିବା ବନ୍ୟ ସମ୍ପଦ ତଥା ବନ୍ୟପ୍ରାଣୀ ଧୀରେ ଧୀରେ ହ୍ରାସ ପାଇବାକୁ ଲାଗିଛି। ଇତି ମଧ୍ୟରେ ଗତ ଅକ୍ଟୋବର ମାସ ୮ତାରିଖରେ ପାରଳାଖେମୁଣ୍ଡି ବନଖଣ୍ଡ ପକ୍ଷରୁ ଦେବଗିରି ବନାଞ୍ଚଳର ସ୍ୱତନ୍ତ୍ର ଦଳ ଏସିଏଫ ସାଇନଶ୍ରୀ ଦାଶଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ନୂଆ ବସଷ୍ଟାଣ୍ଡ ନିକଟରେ ଚଢ଼ଉ କରି କାଶୀନଗର ଥାନା ଅନ୍ତର୍ଗତ ହାଡୁଭଙ୍ଗି ଗ୍ରାମର ଗୋରିଲା ରବି (୪୦ବର୍ଷ) ଓ ପରିଡ଼ା ଗ୍ରାମର ପ୍ରଫୁଲ୍ଲ ଘଣ୍ଟ (୪୨ବର୍ଷ)ଙ୍କୁ କାବୁ କରି ସେମାନଙ୍କ ଠାରୁ ଗୋଟେ କଲରାପତରିଆ ବାଘ ଛାଲ, ଗୋଟିଏ ବାଇକ, ଦୁଇଟି ମୋବାଇଲ ଫୋନ ଜବତ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିଲେ। ସେମାନଙ୍କ ବୟାନ ଆଧାରରେ ଏହି ରାକେଟର ଅନ୍ୟମାନଙ୍କ ବିରୁଦ୍ଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ କରାଯାଇ ସେମାନଙ୍କୁ ମଧ୍ୟ କୋର୍ଟ ଚାଲାଣ କରାଯାଇଥିଲା।
ଉପରୋକ୍ତ ଅଭିଯୁକ୍ତ ଦ୍ବୟ ନିମ୍ନ ଅଦାଲତରେ ପୃଥକ ପୃଥକ ଭାବେ ସେମାନଙ୍କର ଜାମିନ ନିମନ୍ତେ ଆବେଦନ କରିଥିଲେ କିନ୍ତୁ ମାମଲାର ଗମ୍ଭୀରତାକୁ ନଜରରେ ରଖି ସେମାନଙ୍କ ଜାମିନ ଖାରଜ କରାଯାଇଥିଲା ଓ ସେମାନେ ଏହା ବିରୁଦ୍ଧରେ ମାନ୍ୟବର ଜିଲ୍ଲା ଓ ଦୌରା ଜଜଙ୍କ ନିକଟରେ ଜାମିନ ପାଇଁ ଆବେଦନ କରିଥିଲେ। ସରକାରଙ୍କ ପକ୍ଷରୁ ଭାରପ୍ରାପ୍ତ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ଏହି ମାମଲାରେ ବନଖଣ୍ଡ ଦ୍ୱାରା କରାଯାଇଥିବା ଗିରିଫଦାରୀକୁ ଯୁକ୍ତିଯୁକ୍ତ ଦର୍ଶାଇ ସଂରକ୍ଷିତ ଜଙ୍ଗଲରେ କମିଯାଉଥିବା ବନ୍ୟପ୍ରାଣୀଙ୍କ ସ୍ଥିତିକୁ ନେଇ ମାନ୍ୟବର ବିଚାରପତିଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ଓ ମୁଦଲାଙ୍କ ପକ୍ଷରୁ ତଦନ୍ତ ପ୍ରକ୍ରିୟା ବର୍ତ୍ତମାନ ବହୁତ ଆଗେଇ ଯାଇଛି ତଥା ଜାମିନ ପ୍ରଦାନ କରାଯିବା ନିମନ୍ତେ କିଛି ଅସୁବିଧା ନାହିଁ ବୋଲି ମାନ୍ୟବର ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। କିନ୍ତୁ ଏହିଭଳି ଏକ ସମ୍ବେଦନଶୀଳ ମାମଲାର ଶୁଣାଣି କରି ମାନ୍ୟବର ଜିଲ୍ଲା ଓ ଦୌରା ଜଜ ଜଗଦୀଶ ପ୍ରସାଦ ମହାନ୍ତି ଅଭିଯୁକ୍ତ ପ୍ରଫୁଲ୍ଲ ଘଣ୍ଟଙ୍କର ଆବେଦନକୁ ନାମଞ୍ଜୁର କରିଦେଇଛନ୍ତି ଓ ନିଜର ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି ଯେ, ଏହି କଲରାପତରିଆ ବାଘ ସଂରକ୍ଷିତ ପ୍ରାଣୀ ଅନୁଚ୍ଛେଦର ସର୍ବ ପ୍ରଥମେ ଆସୁଛି। ଭବିଷ୍ୟତରେ ଯଦିଓ ଏହି ମାମଲା ନିମ୍ନ ଅଦାଲତରେ ପରିଚାଳିତ ହେବ କିନ୍ତୁ ଦିନକୁ ଦିନ ନିଶ୍ଚିହ୍ନ ହେଇଯାଉଥିବା ପ୍ରାଣୀଙ୍କ କଥାକୁ ଚିନ୍ତା କରି ତଥା ଏହି ମାମଲାରେ ବର୍ତ୍ତମାନ ତଦନ୍ତ ଜାରିରହିଥିବାରୁ ଓ ଅନ୍ତରାଜ୍ୟ ରାକେଟ ଜଡ଼ିତ ଥିବା କଥାକୁ ଏଡ଼ାଇ ଦିଆଯାଇନପାରେ। ତେଣୁ ଅନ୍ୟ ଅଭିଯୁକ୍ତ ଗୋରିଲା ରବିଙ୍କ ଆବେଦନ ତା ୨୯-୧୦-୨୦୨୬ରିଖରେ ଖାରଜ ହେବା ଭଳି ଏହି ମାମଲାରେ ପ୍ରଫୁଲ୍ଲଙ୍କର ମଧ୍ୟ ଜାମିନ ଖାରଜ ହୋଇଯାଇଛି। ସୂଚନାଯୋଗ୍ୟ, ନିମ୍ନ ଅଦାଲତରେ ଏପିପି କାଶୀନାଥ ଦାସ ଏହି ମାମଲା ପରିଚାଳନା କରୁଥିଲେ।
