ସୋର ମେଡିକାଲରେ ମାଗଣା ହେବ ଶବ ବ୍ୟବଚ୍ଛେଦ: ଯାତ୍ରାଷ୍ଟାରଙ୍କ ପ୍ରତିବାଦ ପରେ ବିଧାୟକଙ୍କ ବଡ଼ ଘୋଷଣା , ସମସ୍ତ ଖର୍ଚ୍ଚ ବହନ କରିବ ରୋଗୀ କଲ୍ୟାଣ ସମିତି
ସୋର (ନିପ୍ର, ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ): ସୋର ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ (ପୋଷ୍ଟମର୍ଟମ) ପାଇଁ ମୃତକଙ୍କ ପରିବାରକୁ ଏଣିକି ଆଉ ହଜାରେ ଟଙ୍କା ବଦଳରେ ଟଙ୍କାଟିଏ ବି ଦେବାକୁ ପଡ଼ିବ ନାହିଁ। ସମସ୍ତ ଖର୍ଚ୍ଚ ରୋଗୀ କଲ୍ୟାଣ ସମିତି(ଆର୍ କେ ଏସ୍) ବହନ କରିବ ବୋଲି ସୋର ବିଧାୟକ ତଥା ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷ ମାଧବ ଧଡ଼ା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଏଥିସହ ଲୋକଙ୍କ ସଚେତନତା ପାଇଁ ଖୁବଶୀଘ୍ର ଡାକ୍ତରଖାନା ବାହାରେ ଏକ ସୂଚନା ଫଳକ ମଧ୍ୟ ଲଗାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତକାଲି ଜଣେ ଯାତ୍ରା ସହ – କଳାକାରଙ୍କ ମୃତଦେହ ବ୍ୟବଚ୍ଛେଦ ବେଳେ ମେଡିକାଲ୍ କର୍ମଚାରୀ ଟଙ୍କା ମାଗିବା ଘଟଣାକୁ ନେଇ ଲୋକପ୍ରିୟ ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହାକୁ ନେଇ ମେଡିକାଲ ପରିସରରେ କିଛି ଅପ୍ରୀତିକର ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ତେବେ ଉଭୟ ପକ୍ଷଙ୍କ ମଧ୍ୟରେ ଏକ ‘ଭୁଲ୍ ବୁଝାମଣା’ ହେତୁ ଏପରି ଘଟିଥିବା ବେଳେ ପରେ ଥାନାରେ ଏହାର ଆପୋଷ ସମାଧାନ ହୋଇଥିଲା। କିନ୍ତୁ ଏହି ଘଟଣାର ୨୪ ଘଣ୍ଟା ନପୂରୁଣୁ ବିଧାୟକ ଶ୍ରୀ ଧଡ଼ା ଆକ୍ସନ ମୋଡ୍କୁ ଆସି ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ନେଇଛନ୍ତି। ଗୋଟିଏ ପଟେ ସାଧାରଣ ଲୋକଙ୍କ ସମସ୍ୟା ପାଇଁ ଯାତ୍ରାଷ୍ଟାର ପିୟୁଷ ତ୍ରିପାଠୀଙ୍କ ବଳିଷ୍ଠ ସ୍ୱର ଉତ୍ତୋଳନ ଏବଂ ଅନ୍ୟପଟେ ଘଟଣାକୁ ଗୁରୁତ୍ୱର ସହ ନେଇ ବିଧାୟକ ମାଧବ ଧଡ଼ାଙ୍କ ଏହି ତ୍ୱରିତ ପଦକ୍ଷେପକୁ ସୋର ଅଞ୍ଚଳରେ ବୁଦ୍ଧିଜୀବୀ ଓ ସାଧାରଣ ଜନତା ବେଶ୍ ପ୍ରଶଂସା କରୁଛନ୍ତି।
