କାହାର ପୂଷ ମାସ ତ କାହାର ସର୍ବନାଶ! ଆସିକା ବନ୍ୟାରେ ସର୍ବସ୍ୱ ହରାଇଥିବା ବ୍ୟବସାୟୀଙ୍କ ଦୁଃଖ, ନଷ୍ଟ ହୋଇଥିବା ସାମଗ୍ରୀ କମ୍ ଦାମରେ କିଣିବାକୁ ଲୋକଙ୍କ ପ୍ରବଳ ଭିଡ଼।
ରିପୋର୍ଟ :- ଦୁର୍ଗା ମାଧବ ପାଢ଼ୀ
ଆସିକା: ପ୍ରକୃତିର କରାଳ ରୂପ ଆଗରେ ହାର ମାନିଛି ଆସିକା ଅଞ୍ଚଳ। ବନ୍ୟା ଜଳରେ ଅନେକ ଦୋକାନ, ଗୋଦାମ ଓ ଘରେ ପାଣି ପଶିବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ, ଅନେକ ବ୍ୟବସାୟୀ ଓ ସାଧାରଣ ପରିବାର ନିଜର ଜୀବନର ସଞ୍ଚିତ ସମ୍ପତ୍ତି ହରାଇ ଅସହାୟ ହୋଇପଡ଼ିଛନ୍ତି। ଦିନରାତି ପରିଶ୍ରମ କରି ଗଢ଼ିଥିବା ବ୍ୟବସାୟ ଓ ଜୀବନର ସମସ୍ତ ସ୍ୱପ୍ନ ବନ୍ୟା ଜଳରେ ଧୋଇ ହୋଇଯାଇଥିବା ବେଳେ, ଏବେ ନଷ୍ଟ ହୋଇଥିବା ସାମଗ୍ରୀକୁ କମ୍ ଦାମରେ ବିକ୍ରି କରି କିଛି କ୍ଷତି ଭରଣା କରିବାକୁ ବାଧ୍ୟ ହେଉଛନ୍ତି ପ୍ରଭାବିତ ବ୍ୟବସାୟୀ।ଏଭଳି ଏକ ଦୁଃଖଦ ପରିସ୍ଥିତି ମଧ୍ୟରେ ବନ୍ୟା ଜଳରେ ନଷ୍ଟ ହୋଇଥିବା ବିଭିନ୍ନ ସାମଗ୍ରୀ କମ୍ ଦାମରେ କିଣିବା ପାଇଁ ଲୋକଙ୍କ ଭିଡ଼ ଜମୁଥିବା ଦୃଶ୍ୟ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କେହି ନିଜର ଆବଶ୍ୟକତା ପୂରଣ ପାଇଁ ତ କେହି କମ୍ ଦାମରେ ସାମଗ୍ରୀ ପାଇବା ଆଶାରେ ଭିଡ଼ ଜମାଉଥିବା ବେଳେ, ବନ୍ୟାରେ ସର୍ବସ୍ୱ ହରାଇଥିବା ବ୍ୟବସାୟୀଙ୍କ ମୁହଁରେ କିନ୍ତୁ ଦୁଃଖ ଓ ନିରାଶାର ଛାୟା ସ୍ପଷ୍ଟ ଦେଖିବାକୁ ମିଳୁଛି।ଯେଉଁ ସାମଗ୍ରୀ ଦିନେ ବ୍ୟବସାୟୀଙ୍କ ଜୀବିକାର ମାଧ୍ୟମ ଥିଲା, ଆଜି ସେହି ସାମଗ୍ରୀ ବନ୍ୟା ଜଳରେ ନଷ୍ଟ ହୋଇ ଅତି କମ୍ ଦାମରେ ବିକ୍ରି ହେବାକୁ ବାଧ୍ୟ ହେଉଛି। ବନ୍ୟାର ଏହି ତାଣ୍ଡବ ଅନେକ ପରିବାରକୁ ଆର୍ଥିକ ସଙ୍କଟ ମଧ୍ୟକୁ ଠେଲି ଦେଇଥିବା ବେଳେ, ପ୍ରଭାବିତଙ୍କ ଦୁଃଖ ଓ ଅସହାୟତା ଏବେ ହୃଦୟକୁ ଛୁଇଁଯାଉଛି।
