ପାଠପଢ଼ା ସ୍ଥାନରେ ବିପଦ: ସୋରରେ କୁକୁର ଆକ୍ରମଣର ଶିକାର ହେଲେ ଷଷ୍ଠ ଶ୍ରେଣୀର ନିରିହ ଛାତ୍ରୀ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ଶିକ୍ଷାନୁଷ୍ଠାନ ପରିସର ଏବେ କେତେ ସୁରକ୍ଷିତ — ଏହି ପ୍ରଶ୍ନ ପୁଣି ଥରେ ଉଙ୍କି ମାରୁଛି ସୋର ଅଞ୍ଚଳରେ । ସୋର ବ୍ଲକ ଅନ୍ତର୍ଗତ ଗୋପିନାଥପୁର ପଞ୍ଚାୟତର ଗଞ୍ଜ ସରକାରୀ ପ୍ରାଥମିକ ସ୍କୁଲରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲ୍ ପରିସର ଭିତରେ ଜଣେ ଷଷ୍ଠ ଶ୍ରେଣୀର ନିରୀହ ଛାତ୍ରୀଙ୍କୁ ଏକ ପାଗଳା କୁକୁର ଆକ୍ରମଣ କରି ରକ୍ତାକ୍ତ କରିଥିବା ଜଣାପଡିଛି।ମିଳିଥିବା ସୂଚନା ମୁତାବକ, ଛାତ୍ରୀ ଜଣଙ୍କ ମଧ୍ୟାହ୍ନ ପାଠପଢ଼ା ସମୟରେ ପାଣି ପିଇବା ପାଇଁ ସ୍କୁଲ ପରିସରରେ ଥିବା ଟ୍ୟୁବ୍ୱେଲ୍ (ଟିୱେଲ) ପାଖକୁ ଯାଇଥିଲେ। ସେହି ସମୟରେ ସେଠାରେ ବୁଲୁଥିବା ଏକ ପାଗଳା କୁକୁର ହଠାତ୍ ତାଙ୍କୁ ଆକ୍ରମଣ କରି କାମୁଡ଼ି ପକାଇଥିଲା। ଫଳରେ ଛାତ୍ରୀ ଜଣଙ୍କ ଗୁରୁତର ଭାବେ ଆହତ ହୋଇ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ଯାଇଥିଲେ। ତେବେ ଘଟଣାସ୍ଥଳରେ ତତ୍ପରତା ଦେଖାଇ ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଆହତ ଛାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ। ପରେ ତାଙ୍କୁ ସୋର ଡାକ୍ତରଖାନାକୁ ଅଣାଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ। ବର୍ତ୍ତମାନ ଛାତ୍ରୀ ଜଣଙ୍କ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି।
ତଥାପି, ସ୍କୁଲ ପରିସର ଭିତରେ ଏପରି ବୁଲା କୁକୁରଙ୍କ ପ୍ରାଦୁର୍ଭାବ ଓ ଆକ୍ରମଣକୁ ନେଇ ଅଭିଭାବକ ଏବଂ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇବା ସହ ଅସ୍ବଭାବିକ ବାତାବରଣ ସୃଷ୍ଟି ହୋଇଛି। ଅଭିଭାବକ ମାନେ ସ୍କୁଲ ପରିସରର ସୁରକ୍ଷା ଓ ଏପରି ବିପଦପୂର୍ଣ୍ଣ କୁକୁର ମାନଙ୍କୁ ଘଉଡ଼ାଇବା ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।
