*ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ଋଣ କରାଇଦେବା ନାଁରେ ଟଙ୍କା ଦାବି ଅଭିଯୋଗ; ବୋଡ଼େନ ବ୍ଲକ ବାଗବାହାଲରୁ ଆସିଲା ସାଂଘାତିକ ଅଭିଯୋଗ*
ନୂଆପଡ଼ା (ମାଇକେଲ ନନ୍ଦ):
ତା-୨୬/୧୦
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ସୁନାପୁର ପଞ୍ଚାୟତ ବାଗବାହାଲ ଗ୍ରାମରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ସଦସ୍ୟାଙ୍କୁ ଋଣ କରାଇଦେବା ନାଁରେ ଟଙ୍କା ଦାବି କରାଯାଉଥିବା ନେଇ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଗ୍ରାମର ଧନମତି ହଂସ ନାମକ ଜଣେ ମହିଳା ଏନେଇ ଅଭିଯୋଗ ଆଣିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ଏସଏସଜି(SSG) ମହିଳାମାନଙ୍କୁ ବିଭିନ୍ନ ବ୍ୟାଙ୍କ କିମ୍ବା ଯୋଜନା ଜରିଆରେ ଋଣ ଯୋଗାଇଦେବାର ପ୍ରତିଶ୍ରୁତି ଦେଇ ଜଣେ ସିଆରପି (CRP) ମ୍ୟାଡାମ୍ ପ୍ରତିମା ସୁନାନୀ ଅର୍ଥ ଦାବି କରୁଥିବା ଅଭିଯୋଗ ହୋଇଛି। ସରକାର ଗ୍ରାମାଞ୍ଚଳର ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ତଥା ସେମାନଙ୍କର ଉନ୍ନତି ପାଇଁ ବିଭିନ୍ନ ଲୋକାଭିମୁଖୀ ଯୋଜନାମାନ କାର୍ଯ୍ୟକାରୀ କରୁଛନ୍ତି। ମାତ୍ର କିଛି କର୍ମଚାରୀଙ୍କ ଏପରି ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ସରକାରୀ ଯୋଜନା ବାଟବଣା ହେଉଥିବା ଚର୍ଚ୍ଚା ହେଉଛି। ଋଣ ଦେବା ନାଁରେ ଗରିବ ମହିଳାଙ୍କଠାରୁ ଟଙ୍କା ମାଗିବା ଅଭିଯୋଗ ଏବେ ସ୍ଥାନୀୟ ଅଞ୍ଚଳରେ ଚିନ୍ତାର ବିଷୟ ପାଲଟିଛି।
ଏହି ସମ୍ବେଦନଶୀଳ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ଜେଗୁଥିବା ବେଳେ ଅଭିଯୋଗର ସତ୍ୟାସତ୍ୟ ପାଇଁ ଏକ ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। ତେବେ ଏ ସମ୍ପର୍କରେ ବିଏଲ୍ସି (BLC) ଙ୍କୁ ପଚାରିବାରୁ ସେ ଏ ବିଷୟରେ କିଛି ଜାଣି ନାହାଁନ୍ତି ବୋଲି କହିଥିଲେ।ସମ୍ପୃକ୍ତ କର୍ତ୍ତୃପକ୍ଷ ତୁରନ୍ତ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
