୨୦୨୭ ଜାନୁଆରୀ ୯ ତାରିଖରେ ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍ର ଚତୁର୍ଥ ସଂସ୍କରଣ
ଢେଙ୍କାନାଳ :- ଟାଟା ଷ୍ଟିଲ୍ ମେରାମଣ୍ଡଳୀ ଏବଂ ଢେଙ୍କାନାଳ ଜିଲ୍ଲା ପ୍ରଶାସନର ମିଳିତ। ଆନୁକୂଲ୍ୟରେ ‘ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍’ର ୪ର୍ଥ ସଂସ୍କରଣକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଏହି ପ୍ରତିଯୋଗିତା ଆସନ୍ତା ୨୦୨୭ ମସିହା ଜାନୁଆରୀ ୯ ତାରିଖରେ ଅନୁଷ୍ଠିତ ହେବ। ଚଳିତ ସଂସ୍କରଣରେ ବିଭିନ୍ନ ବର୍ଗର ୫୦୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଏହି ମାରାଥନ୍ରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବର୍ଗଙ୍କ ପାଇଁ ୨୧ କିଲୋମିଟର ମାର୍ଥାନ ଓ ୧୦ କିଲୋମିଟର ଦୌଡ଼ ଏବଂ ୧୪ ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ୫ କିଲୋମିଟର ଦୌଡ଼ ଆୟୋଜିତ ହେବ। ଏଥିରେ ୨୧ କିଲୋମିଟର ପାଇଁ ୪୦୦ ଟଙ୍କା ପ୍ରବେଶ ଶୁଳ୍କ ରହିଥିବା ବେଳେ ୧୦ କିଲୋମିଟର ପାଇଁ ୩୦୦ ଟଙ୍କା ଏବଂ ୫ କିଲୋମିଟର ଦୌଡ଼ ପାଇଁ ୧୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ପ୍ରତିଯୋଗିତାର ବିଜେତାଙ୍କ ପାଇଁ ମୋଟ ୯.୬୪ ଲକ୍ଷ ଟଙ୍କାର ପୁରସ୍କାର କରାଯାଇଛି। ଏଥିରେ ବିଭିନ୍ନ ବର୍ଗରେ ମୋଟ ୩୦ଟି ପୁରସ୍କାର ପ୍ରଦାନ କରାଯିବ। ପୁରୁଷ ଓ ମହିଳା ବିଭାଗର ୨୧ କିଲୋମିଟର୍ ଦୌଡ଼ର ପ୍ରଥମ ସ୍ଥାନ ଅଧିକାରୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ମିଳିବ। ଏହା ପାଇଁ ଟାଟାଷ୍ଟିଲ ୱେବସାଇଟ୍ ମାଧ୍ୟମରେ ଅଂଶଗ୍ରହଣ କାରୀମାନେ ନାମ ପଞ୍ଜୀକରଣ କରିପାରିବେ। ୧୫ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ଏହି ୱେବସାଇଟ ଖୋଲା ରହିବ। ଏହି ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ହାଫ୍ ମାରାଥନ୍ ଚତୁର୍ଥ ସଂସ୍କରଣର ଟି-ସାର୍ଟ ଉନ୍ମୋଚନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଜିଙ୍କ୍ୟ ବି ମାନେ, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଟାଟା ଷ୍ଟିଲ୍ ମେରାମଣ୍ଡଳୀର ଅପରେସନ୍ସ ଭାଇସ୍ ପ୍ରେସିଡେଣ୍ଟ ସୁଧୀର କୁମାର ମେହେଟା, କର୍ପୋରେଟ୍ ସର୍ଭିସେସ୍ ଭାଇସ୍ ପ୍ରେସିଡେଣ୍ଟ ଡି. ବି. ସୁନ୍ଦର ରମମ୍, କ୍ରୀଡ଼ା ମୁଖ୍ୟ ମୁକୁଲ ବିନାୟକ ଚୌଧୁରୀ, ମେରାମଣ୍ଡଳୀ କର୍ପୋରେଟ୍ ସର୍ଭିସେସ୍ ମୁଖ୍ୟ ଶୁଭ୍ରାଂଶୁ ଶେଖର ପଣ୍ଡା, ଏମଜିଏମ ମିନେରାଲ୍ସ ଲିମିଟେଡ୍ର ଚିଫ୍ ଅପରେଟିଂ ଅଫିସର ସୁନୀଲ କୁମାର ମିଶ୍ରଙ୍କ ସହ ଅନ୍ୟାନ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ଢେଙ୍କାନାଳରୁ ଏକାଦଶୀ ବେହେରା ଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
