ସମାନ୍ତ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିଜେଡି ଛାତ୍ର ସଂଗଠନର ବାଜିମାତ:
ଶୁଭମ୍ ସେଠୀ ବିପୁଳ ଭୋଟରେ ବିଜୟୀ, ଝାରପୋଖରିଆରେ ଭବ୍ୟ ବିଜୟ ଶୋଭାଯାତ୍ରା:
_____________
ସାରସକଣା, (ତା/୧୬/୧୦/୨୬)(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ସୀମାନ୍ତ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ସମର୍ଥିତ ପ୍ରାର୍ଥୀଙ୍କୁ ସଫଳତା ମିଳିଛି। କଡ଼ା ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ବିସିଜେଡି ପ୍ରାର୍ଥୀ ଶୁଭମ୍ ସେଠୀ ବିପୁଳ ଭୋଟରେ ବିଜୟୀ ହୋଇ ମହାବିଦ୍ୟାଳୟର ନୂତନ ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ବିସିଜେଡି ତରଫରୁ ଅନ୍ୟ ବିଜୟୀ ପ୍ରାର୍ଥୀ ମାନେ ଉପ-ସଭାପତି ଆଶିଷ ମହାନ୍ତ, ସାଧାରଣ ସମ୍ପାଦକ ରାମେଶ୍ଵର ମହାନ୍ତ,ସହ-ସାଧାରଣ ସମ୍ପାଦକ ପପୁ ଧଡ଼ା, ଡ୍ରାମାଟିକ୍ ସହ-ସମ୍ପାଦକ ମଲ୍ଲିକା ହଁସଦା, ଆଥଲେଟିକ୍ ସମ୍ପାଦକ ହିନ୍ଦୁ ଟୁଡୁ, ସମ୍ପାଦକ ଡି.ଏସ.ଏ. ସତ୍ୟସାଇ ନାଏକ, ସମ୍ପାଦକ ଛାତ୍ରୀ କମନ୍ ରୁମ ସୀମା ବେହେରା ନିର୍ବାଚନରେ ବିଜୟ ଲାଭ କରିଥିଲେ । ଏହି ସଫଳତାକୁ ନେଇ ଛାତ୍ରଛାତ୍ରୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ବିଜୟ ଉପଲକ୍ଷେ ଝାରପୋଖରିଆ ନିକଟସ୍ଥ ଲୋକନାଥ ମନ୍ଦିରଠାରୁ ଏକ ଭବ୍ୟ ବିଜୟ ଶୋଭାଯାତ୍ରା ବାହାରିଥିଲା। ଏଥିରେ ବିଜୟୀ ପ୍ରାର୍ଥୀମାନଙ୍କୁ ଫୁଲମାଳ ପିନ୍ଧାଇ ସ୍ୱାଗତ କରାଯାଇଥିଲା। ଡିଜେ ସଙ୍ଗୀତ, ନାଚଗୀତ ଓ ଉତ୍ସବମୁଖର ପରିବେଶ ମଧ୍ୟରେ ଶୋଭାଯାତ୍ରାଟି ଝାରପୋଖରିଆର ବମ୍ବେଛକ ବଜାର ଦେଇ ଜାତୀୟ ରାଜପଥ ୧୮ ଓ ୪୯ ନିକଟସ୍ଥ ଓଭରବ୍ରିଜ୍ ଅଞ୍ଚଳ ପର୍ଯ୍ୟନ୍ତ ଯାଇଥିଲା। ପରେ ଶୋଭାଯାତ୍ରା ବିଜେଡି କାର୍ଯ୍ୟାଳୟରେ ପହଞ୍ଚିଥିଲା। ଏହି ସମୟରେ ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରାଯାଇଥିଲା।
ଶୋଭାଯାତ୍ରାରେ ବିଜେଡିର ମୟୂରଭଞ୍ଜ ଜିଲ୍ଲା ସଭାପତି ଡ. ଦେବାଶିଷ ମାରାଣ୍ଡି ଓ ବ୍ଲକ ସଭାପତି ମଣି ଶଙ୍କର ବାରିକଙ୍କ ସମେତ ଦଳର ବହୁ ବରିଷ୍ଠ ନେତା, ଶତାଧିକ କର୍ମୀ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ନବୀନ ପଟ୍ଟନାୟକଙ୍କ ପ୍ରତି ସମର୍ଥନ ପ୍ରକାଶ କରୁଥିବା ଗୀତର ତାଳେ ତାଳେ କର୍ମୀମାନେ ଉତ୍ସବ ପାଳନ କରିଥିଲେ। ଶୋଭାଯାତ୍ରା ସମୟରେ ଝାରପୋଖରିଆ ଥାନା ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ଉପସ୍ଥିତ ରହି ଆଇନଶୃଙ୍ଖଳା ପରିସ୍ଥିତି ତଦାରଖ କରିଥିଲେ। ସୀମାନ୍ତ ମହାବିଦ୍ୟାଳୟର ଏହି ନିର୍ବାଚନୀ ଫଳାଫଳକୁ ନେଇ ବିଜୟୀ ପ୍ରାର୍ଥୀ ଓ ସମର୍ଥକଙ୍କ ମଧ୍ୟରେ ଆନନ୍ଦର ମାହୋଲ ଦେଖିବାକୁ ମିଳିଥିଲା । ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
