ବୈଶିଙ୍ଗା ଟୋଲ୍ ପ୍ଲାଜା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାରିପଦା ର ରାଜୀବ ଙ୍କ ମୃତ , ଜଣେ ଗୁରୁତର।
ବେତନଟୀ, ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ୧୮ ନଂ ଜାତୀୟ ରାଜପଥର ପଦ୍ମନାଭପୁର ଟୋଲପ୍ଲାଜା ନିକଟରେ ଆଜି ରବିବାର ସକାଳ ୭ ଟା ସମୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ଅବସ୍ଥାରେ ବାରିପଦା ପିଆରଏମ୍ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ ବାଲେଶ୍ଵରରୁ ବାରିପଦା ଅଭିମୁଖେ ଅତ୍ୟନ୍ତ ଦୃତ ଗତିରେ ଯାଉଥିବା ମାରୁତି ବ୍ରିଜା କାର ନଂ ଓଡି ୧୧ ଏମ୍ ୬୭୧୬ ରେ ବାରିପଦା ୱାଲିଗଞ୍ଜ ଅଞ୍ଚଳର ସନତ ପଟ୍ଟନାୟକଙ୍କ ପୁଅ ରାଜୀବ ଓ ତାଙ୍କ ସାଙ୍ଗ ଅଜୟ ନାୟକ ଯାଉଥିବା ବେଳେ ଦୃତ ଗତି ଯୋଗୁଁ ଭାରସାମ୍ୟ ହରାଇ ଟୋଲ୍ ପ୍ଲାଜା ୩ ନଂ ବୁଥ୍ ଉପରକୁ ଧସେଇ ପଶି ଯାଇଥିଲା। ଅଜୟ ଓ ରାଜୀବ ଙ୍କୁ ପୋଲିସ ଉଦ୍ଧାର କରି ବାରିପଦା ପିଆରଏମ୍ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ସେଠାରେ ରାଜୀବଙ୍କ ମୃତ୍ୟୁ ହୋଇଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ବାମପଟେ ବସିଥିବା ଅଜୟ ଙ୍କୁ ଗାଡ଼ିରେ ଥିବା ବେଲୁନ ସୁରକ୍ଷା ଯୋଗାଇ ଦେଇଥିବା ବେଳେ ଚାଳକ ରାଜୀବଙ୍କ ସାମନା ବେଲୁନ ଅଧା ଖୋଲିଥିବା ଯୋଗୁଁ ତାଙ୍କୁ ଗୁରୁତର ଆଘାତ ଲାଗିଥିବା ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ।
ତେବେ ପୋଲିସ ପକ୍ଷରୁ କ୍ରେନ ଯୋଗେ କାରଟିକୁ ଦୁର୍ଘଟଣା ସ୍ଥଳରୁ ବହାର କରାଯିବା ସହିତ ଏହାକୁ ଜବତ କରି ଥାନାକୁ ଅଣାଯାଇଛି।
