*କୋମନା ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ, ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ସମୀକ୍ଷା କଲେ ଜିଲ୍ଲାପାଳ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୧୪/୧୦:
ନୂଆପଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀମତୀ ଅନ୍ୟା ଦାସ ଆଜି କୋମନା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବା ସହ ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ଗୁଣବତ୍ତା ଅନୁଧ୍ୟାନ କରିଥିଲେ।
ଗସ୍ତ ଅବସରରେ ଜିଲ୍ଲାପାଳ ଭିବି-ଜି ରାମ୍-ଜି (VB-G RAM-G), ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା (CMSA) ଏବଂ ବିକଶିତ ଗାଁ, ବିକଶିତ ଓଡ଼ିଶା (BGBO) ସମେତ ବିଭିନ୍ନ ଯୋଜନାରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିଥିଲେ। ପରେ ତିଖାଳି ଡ୍ୟାମର ଜଳକ୍ରୀଡ଼ା ସ୍ଥଳ ପରିଦର୍ଶନ କରି ପ୍ରସ୍ତାବିତ ମଡେଲ ଟାଙ୍କି ଓ ପାର୍କ ନିର୍ମାଣ ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିବା ସହ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହାପରେ ଜିଲ୍ଲାପାଳ କୋମନାସ୍ଥିତ ଜିତାମିତ୍ର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ। ପାଠ୍ୟକ୍ରମ ଅନୁଯାୟୀ ନିୟମିତ ଓ ଗୁଣାତ୍ମକ ଶିକ୍ଷାଦାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। କୋମନା ବଜାରଠାରେ ନିର୍ମିତ ସେଲ୍ଫି ପଏଣ୍ଟର ଉଦ୍ଘାଟନ କରିବା ସହ ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ କରିଥିଲେ।
କୋମନା ବଜାରସ୍ଥିତ କସ୍ତୁରବା ଗାନ୍ଧୀ ପ୍ରାଥମିକ ବିଦ୍ୟାଳୟ ଓ ଛାତ୍ରାବାସ ପରିଦର୍ଶନ କରି ଜିଲ୍ଲାପାଳ ଛାତ୍ରୀ ଓ ପ୍ରଧାନଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ଓ ବିଦ୍ୟାଳୟ ପରିସରର ଉନ୍ନତିକରଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ।
ସେହିପରି କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଜିଲ୍ଲାପାଳ ଡାକ୍ତର ଓ ରୋଗୀମାନଙ୍କ ସହ ଆଲୋଚନା କରିଥିଲେ। ବହିର୍ବିଭାଗରେ ରୋଗୀଙ୍କୁ ମିଳୁଥିବା ସ୍ୱାସ୍ଥ୍ୟସେବାର ସ୍ଥିତି ମଧ୍ୟ ଅନୁଧ୍ୟାନ କରିଥିଲେ। ପରେ କୋମନା ପଞ୍ଚାୟତ ସମିତି ଯୁକ୍ତଦୁଇ ମହାବିଦ୍ୟାଳୟ ପରିଦର୍ଶନ କରି ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କ ସହ ଆଲୋଚନା କରିବା ସହ ମହାବିଦ୍ୟାଳୟର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ।
ଜିଲ୍ଲାରେ ଚାଲିଥିବା ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ତଦାରଖ କରିବା ସହ ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ଗୁଣବତ୍ତା ଏବଂ ଜନସାଧାରଣଙ୍କୁ ମିଳୁଥିବା ସୁବିଧାର ସ୍ଥିତି ଆକଳନ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଏହି ଗସ୍ତ ସମୟରେ କୋମନା ବ୍ଲକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର, ବ୍ଲକ ଉନ୍ନୟନ ଅଧିକାରୀ ପବିତ୍ର କୁମାର ସାମଲ, ତହସିଲଦାର ସୌରଭ କୁମାର ବିଶିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
