**ନୂଆପଡ଼ାରେ ନବମ ଜାତୀୟ ପୋଷଣ ମାସ ପାଳିତ ସୁସ୍ଥ ଶିଶୁ, ସୁସ୍ଥ ପରିବାର ଓ ସମୃଦ୍ଧ ଓଡ଼ିଶା ଗଠନ ଉପରେ ଗୁରୁତ୍ୱ*।
ନୂଆପଡ଼ା(ମିଖାଏଲ ନନ୍ଦ)
ତା.୧୩/୧୦:
ନୂଆପଡ଼ାସ୍ଥିତ ସଦ୍ଭାବନା ସଭାଗୃହଠାରେ ଜିଲ୍ଲା ସାମାଜିକ କଲ୍ୟାଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ନବମ ଜାତୀୟ ପୋଷଣ ମାସ–୨୦୨୬ ପାଳିତ ହୋଇଯାଇଛି। ‘ସୁସ୍ଥ ଶିଶୁ, ସୁସ୍ଥ ପରିବାର, ସମୃଦ୍ଧ ଓଡ଼ିଶା’ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମକୁ ଉପଜିଲ୍ଲାପାଳ ସୁର୍ମୀ ସୋରେନ ଉଦ୍ଘାଟନ କରିଥିଲେ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ଶିକ୍ଷା ଅଧିକାରୀ ଡା. ପ୍ରଶାନ୍ତ ମହାନ୍ତି, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ପ୍ରେମଳତା ସେଠୀ, ବିଭିନ୍ନ ବିଭାଗର ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସୁପରଭାଇଜର ଓ ଅଙ୍ଗନବାଡ଼ି କର୍ମୀମାନେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ଉତ୍ତମ ପୋଷଣ, ସନ୍ତୁଳିତ ଖାଦ୍ୟାଭ୍ୟାସ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଏବଂ ପରିବାରର ସାମଗ୍ରିକ ସୁସ୍ଥତା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶିଶୁମାନଙ୍କର ସୁସ୍ଥ ଅଭିବୃଦ୍ଧି ଓ ସର୍ବାଙ୍ଗୀଣ ବିକାଶ ପାଇଁ ପୁଷ୍ଟିକର ଖାଦ୍ୟ, ସନ୍ତୁଳିତ ଆହାର ଓ ଉପଯୁକ୍ତ ଯତ୍ନର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରାଯାଇଥିଲା।
ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୋଷଣ ସମ୍ପର୍କିତ ସଚେତନତା ବୃଦ୍ଧି ନିମନ୍ତେ ବିଭିନ୍ନ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ଶ୍ରେଷ୍ଠ ଅଙ୍ଗନବାଡ଼ି କର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ଶ୍ରେଷ୍ଠ ପୋଷଣ ଷ୍ଟଲ୍ ପାଇଁ କୋମନାକୁ ପୁରସ୍କୃତ କରାଯାଇଥିଲା।
ଅଙ୍ଗନବାଡ଼ି କର୍ମୀ, ଛାତ୍ରଛାତ୍ରୀ ଓ ବିଭିନ୍ନ ବିଭାଗର ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ମାଧ୍ୟମରେ ପୋଷଣ ସଚେତନତାର ପ୍ରସାର ସହ ଏକ ସୁସ୍ଥ, ପୁଷ୍ଟିସମ୍ପନ୍ନ ଓ ସମୃଦ୍ଧ ସମାଜ ଗଠନ ପାଇଁ ସାମୂହିକ ପ୍ରୟାସର ବାର୍ତ୍ତା ଦିଆଯାଇଥିଲା।
