ଗୁଜରାଟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ
ଅର୍ଥାଭାବରୁ ଜନ୍ମମାଟିକୁ ଫେରିପାରୁନି ମୃତଦେହ, ସହାୟତା ପାଇଁ ନିବେଦନ
କନ୍ଧମାଳ:(ନି.ପ୍ର )ତୁମୁଡିବନ୍ଧ ବ୍ଲକ ୦୯/୧୦/୨୦୨୬: କେବେ ଦୂର ହେବ କନ୍ଧମାଳ ଜିଲ୍ଲାରୁ ଦାଦନ ଶ୍ରମିକଙ୍କ ଦୁଃଖ? ପରିବାରର ମୁହଁରେ ହସ ଫୁଟାଇବା ଏବଂ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ଯୋଗାଇବା ଆଶାରେ ଜନ୍ମମାଟି ଛାଡ଼ି ପରଦେଶକୁ ଯାଉଛନ୍ତି ଶ୍ରମିକ। କିନ୍ତୁ ଯେଉଁ ହାତ ପରିବାର ପାଇଁ ରୋଜଗାର କରିବାକୁ ବାହାରିଥିଲା, ସେହି ମଣିଷର ମୃତଦେହ ମଧ୍ୟ ଆଜି ଅର୍ଥାଭାବରୁ ନିଜ ଜନ୍ମମାଟିକୁ ଫେରିପାରୁନାହିଁ। ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ ଅଞ୍ଚଳରେ।
ସୂଚନା ଅନୁଯାୟୀ, ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ଲଙ୍କାଗଡ଼ ଗ୍ରାମ ପଞ୍ଚାୟତର ନୂଆସାହି ଗ୍ରାମର ୬୧ ବର୍ଷୀୟ ବିଜୟ ହଜାର ନାୟକ ରୋଜଗାର ଆଶାରେ ଗୁଜରାଟ ରାଜ୍ୟର ରାଜକୋଟ ଜିଲ୍ଲାକୁ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। ପରିବାରର ଆର୍ଥିକ ବୋଝ କମାଇବା ଏବଂ ପରିବାର ପ୍ରତିପୋଷଣ କରିବା ଥିଲା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ। କିନ୍ତୁ ଦୁର୍ଭାଗ୍ୟବଶତଃ ଗୁଜରାଟରେ କାର୍ଯ୍ୟରତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।ବିଜୟଙ୍କ ମୃତ୍ୟୁ ଖବର ତାଙ୍କ ପରିବାର ଓ ଗ୍ରାମବାସୀଙ୍କୁ ଗଭୀର ଶୋକରେ ବୁଡ଼ାଇ ଦେଇଛି। ଯେଉଁ ପରିବାର ପାଇଁ ସେ ପରଦେଶରେ ପରିଶ୍ରମ କରୁଥିଲେ, ଆଜି ସେହି ପରିବାର ନିଜ ଲୋକଙ୍କ ମୃତଦେହକୁ ଶେଷଥର ପାଇଁ ଦେଖିବା ଓ ନିଜ ଗାଁ ମାଟିରେ ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ ଅସହାୟ।
