କାର୍ଯ୍ୟାଳୟ ଅଛି, ଶୌଚାଳୟ ନାହିଁ: ଗଜପତି ରାୟଗଡ଼ ପ୍ରାଣୀ ଚିକିତ୍ସାଳୟରୁ ସାମ୍ନାକୁ ଆସିଲା ଦୟନୀୟ ଚିତ୍ର……
(ଗଜପତି) (ଟିକି ଲିମା)
ସରକାର ସ୍ୱଚ୍ଛ ଭାରତ ଓ ପରିମଳ ବ୍ୟବସ୍ଥା ଉପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ ଥିବା ସରକାରୀ ପ୍ରାଣୀ ଚିକିତ୍ସାଳୟରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଏହି ଚିକିତ୍ସାଳୟରେ ବର୍ଷ ବର୍ଷ ଧରି ଶୌଚାଳୟର ସୁବିଧା ନଥିବାରୁ ଏଠାକୁ ଆସୁଥିବା ଗୋପାଳକ, ସ୍ଥାନୀୟ ଜନସାଧାରଣ ଏବଂ ଚିକିତ୍ସାଳୟର କର୍ମଚାରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଦୂରଦୂରାନ୍ତରୁ ଆସୁଥିବା ଲୋକେ ହନ୍ତସନ୍ତ:
ରାୟଗଡ଼ ବ୍ଲକର ବିଭିନ୍ନ ଗ୍ରାମରୁ ଗୋପାଳକମାନେ ନିଜ ଗୋରୁଗାଈ, ଛେଳି ଓ ଅନ୍ୟାନ୍ୟ ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା ପାଇଁ ଏହି ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି। ଅନେକ ସମୟରେ ଜରୁରୀକାଳୀନ ସ୍ଥିତି କିମ୍ବା ଗୁରୁତର ପଶୁମାନଙ୍କ ଚିକିତ୍ସା ପାଇଁ ଲୋକଙ୍କୁ ଏଠାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥାଏ। ମାତ୍ର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ଏବଂ ପ୍ରାଣୀ ସମ୍ପଦ ବିଭାଗ ଅଧୀନରେ ଥିବା ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟରେ ଗୋଟିଏ ହେଲେ କାର୍ଯ୍ୟକ୍ଷମ ଶୌଚାଳୟ ନାହିଁ। ଯାହାଫଳରେ ବିଶେଷ କରି ମହିଳା ଓ ବୃଦ୍ଧ ଗୋପାଳକମାନେ ଶୌଚ ପାଇଁ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି।
ମହିଳା କର୍ମଚାରୀଙ୍କ ପାଇଁ ବଡ଼ ସମସ୍ୟା:
କେବଳ ସାଧାରଣ ଲୋକ ନୁହନ୍ତି, ବରଂ ଏଠାରେ ଦୈନିକ କାର୍ଯ୍ୟ କରୁଥିବା ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଶୌଚାଳୟ ଅଭାବରୁ ଅତି ଦୟନୀୟ ସ୍ଥିତିରେ କାମ କରୁଛନ୍ତି। ଡାକ୍ତରଖାନାରେ କାର୍ଯ୍ୟରତ ମହିଳା କର୍ମଚାରୀମାନେ ଏଥିଯୋଗୁଁ ସବୁଠାରୁ ଅଧିକ ସମସ୍ୟା ଭୋଗୁଛନ୍ତି।
ଜନସାଧାରଣଙ୍କ ଦାବି:
ସରକାରୀ ସ୍ତରରେ ବିଲଡିଙ୍ଗ ଓ ବ୍ୟାନର ଲଗାଇ ଯୋଜନାର ପ୍ରଚାର କରାଯାଉଥିଲେ ସୁଦ୍ଭା, ଅତି ଆବଶ୍ୟକୀୟ ମୌଳିକ ସୁବିଧା ପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ କାହିଁକି ଆଖି ବୁଜି ଦେଇଛନ୍ତି ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି। ଏହି ଚିକିତ୍ସାଳୟ ପରିସରରେ ତୁରନ୍ତ ଏକ ସ୍ଥାୟୀ ସ୍ୱଚ୍ଛ ଶୌଚାଳୟ ନିର୍ମାଣ କରିବାକୁ ସ୍ଥାନୀୟ ବାସିନ୍ଦା ଏବଂ ଗୋପାଳକ ସଂଘ ଜିଲ୍ଲା ପ୍ରଶାସନ ତଥା ପଶୁସମ୍ପଦ ବିଭାଗ ନିକଟରେ ଜୋରଦାର ଦାବି କରିଛନ୍ତି।
