କଂଗ୍ରେସର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ
______________
ସାରସକଣା,(୮/୧୦/୨୬)(ନି.ପ୍ର): ଆଜି କଂଗ୍ରେସର ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଯୋଗୁ ମୟୂରଭଞ୍ଜର ଝାରପୋଖରିଆ (ବମ୍ବେ ଛକ)ରେ ଜୋରଦାର ପ୍ରଭାବ, ସ୍ତବ୍ଧ ଜନଜୀବନ, ଅଖ ଚକ ବନ୍ଦ, ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ଓ ସିପିଆଇ (CPI) ର ମିଳିତ ଡାକରାରେ ଆଜି ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ପାଳନ କରାଯାଇଛି । ଏହି ବନ୍ଦର ପ୍ରଭାବ ମୟୂରଭଞ୍ଜ ଜିଲ୍ଲାର ପ୍ରମୁଖ ବାଣିଜ୍ୟିକ ତଥା ଯୋଗାଯୋଗ କେନ୍ଦ୍ର ଝାରପୋଖରିଆ (ବମ୍ବେ ଛକ) ଠାରେ ବ୍ୟାପକ ଭାବେ ଦେଖିବାକୁ ମିଳିଛି। ଆଜି ସକାଳୁ କଂଗ୍ରେସ ଓ ସିପିଆଇର ନେତା ଓ କର୍ମୀମାନେ ଝାରପୋଖରିଆ ବମ୍ବେ ଛକ ନିକଟରେ ପିକେଟିଂ କରିବା ସହ ରାସ୍ତାରୋକ କରିଥିଲେ। ଫଳରେ ଗାଡ଼ିମୋଟର ଚଳାଚଳ ସଂପୂର୍ଣ୍ଣ ଠପ୍ ହୋଇଯାଇଛି। “ଅଖ ଚକ ବନ୍ଦ” ଆନ୍ଦୋଳନ ଯୋଗୁଁ ଜାତୀୟ ରାଜପଥରେ ଶହ ଶହ ମାଲବାହୀ ଟ୍ରକ୍, ବସ୍ ଓ ଅନ୍ୟାନ୍ୟ ଯାନବାହନ ଅଟକି ରହିଛି । ବନ୍ଦର ମୁଖ୍ୟ ପ୍ରଭାବ ବ୍ୟବସାୟିକ ପ୍ରତିଷ୍ଠାନ, ସହରର ସମସ୍ତ ଦୋକାନ ବଜାର, ହାଟ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ସଂପୂର୍ଣ୍ଣ ବନ୍ଦ ରହିଛି । ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି । ଜନସାଧାରଣଙ୍କ ସୁରକ୍ଷା ଓ ଆନ୍ଦୋଳନକୁ ଆଖିଆଗରେ ରଖି ସମସ୍ତ ବ୍ୟାଙ୍କ ସେବା ମଧ୍ୟ ବନ୍ଦ ରହିଛି। ଦଳର ପ୍ରମୁଖ ଦାବି ଗୁଡ଼ିକରେ ଏମଏମଡ଼ିଆର (MMDR) ଆଇନ ପ୍ରତ୍ୟାହାର,ଖଣି ଓ ଖଣିଜ ଦ୍ରବ୍ୟ ଆଇନର ସଂଶୋଧନକୁ ତୁରନ୍ତ ପ୍ରତ୍ୟାହାର କରିବା ।
ଗଣଶିକ୍ଷା କ୍ଷେତ୍ରରେ ଅବହେଳା ଓ ବିଭିନ୍ନ ସମସ୍ୟାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ତୁରନ୍ତ ଇସ୍ତଫା ଦାବି ।
ଏସ୍ଆଇଆର ଓ ଭୋଟ ଚୋରି ପ୍ରସଙ୍ଗ ପାଇଁ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବଂ ବନ୍ୟାଞ୍ଚଳରେ ବିପନ୍ନ ହୋଇଥିବା ଲୋକଙ୍କୁ ତୁରନ୍ତ ସରକାରୀ ସହାୟତା ଓ ରିଲିଫ୍ ପ୍ରଦାନ କରିବ। ।
ଆନ୍ଦୋଳନକାରୀମାନେ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ସେମାନଙ୍କର ଏହି ପ୍ରମୁଖ ଦାବିଗୁଡ଼ିକୁ ସରକାର ତୁରନ୍ତ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।ଏହି ବନ୍ଦ ଆନ୍ଦୋଳନରେ କଂଗ୍ରେସ ର ସାରସକଣା ବ୍କକ ସଭାପତି ତରୁଣ ଗିରି ଙ୍କ ନେତୃତ୍ଵରେ ହେଇଥିବା ବେଳେ ତାଙ୍କସହିତ ଉପ-ସଭାପତି ମୁରଲୀ ମୋହନ ମହାପାତ୍ର, ଚିତ୍ତପ୍ରକାଶ ମହାପାତ୍ର, ପ୍ରଦୀପ ପୃଷ୍ଟି, ଅଶୋକ ସେଠୀ, ବାବୁଲି ମହାନ୍ତ, ମନୋଜ ମହାନ୍ତ , ହୀରାଲାଲ ମହାନ୍ତ, ଧନଞ୍ଜୟ ମହାନ୍ତ, ସୁବୋଧ ଧୀର ,ବଙ୍କିମ ପାତ୍ର, ଉପେନ୍ଦ୍ର ଦିଗାର ପ୍ରମୁଖ ଉପସ୍ଥିତ ରହିବା ସହିତ ୨୫୦ ରୁ ଉର୍ଦ୍ଧ୍ଵ କର୍ମୀ ବନ୍ଦ ପାଳନରେ ସହଯୋଗ କରିଥିଲେ । ଶାନ୍ତି ପୂର୍ଣ୍ଣ ଭାବରେ ବନ୍ଦ ପାଳନ କରାଯାଇଥିବାର ପରିଲକ୍ଷିତ ହୋଇଛି । ଝାରପୋଖରିଆ ଥାନା ଅଧିକାରୀ ମଧ୍ୟ ଉପସ୍ଥିତ ରଖି ବନ୍ଦ ପାଳନ ବେଳେ ଆଇନ ଶୃଙ୍ଖଳା ରକ୍ଷା କରିଥିଲେ ।ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
