ଏସଆଇଆରରେ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟର ଓ ନୂଆ ଯୁବ ଭୋଟରଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ
ଅକ୍ଟୋବର ୯ ପର୍ଯ୍ୟନ୍ତ ଗଞ୍ଜାମରେ ଚାଲିବ ସ୍ୱତନ୍ତ୍ର ଅଭିଯାନ
ବ୍ରହ୍ମପୁର, ତା. ୦୭/୧୦/୨୦୨୬: ଏସଆଇଆର ପରେ ଭୋଟର ତାଲିକାରେ ନାମ ସାମିଲ ପାଇଁ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ।
ସଂଶୋଧନ ପ୍ରକ୍ରିୟାରେ ବିଭିନ୍ନ କାରଣରୁ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା କିନ୍ତୁ ଯୋଗ୍ୟ ନାଗରିକଙ୍କୁ ପୁନଃ ତାଲିକାରେ ସାମିଲ କରିବା ସହ ୧ ଅକ୍ଟୋବର ୨୦୨୬ ସୁଦ୍ଧା ୧୮ ବର୍ଷ ପୂରଣ କରିଥିବା ଯୋଗ୍ୟ ଯୁବକ-ଯୁବତୀଙ୍କ ନାମ ପଞ୍ଜୀକରଣ ଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ।
ଯୋଗ୍ୟ ଯୁବ ଭୋଟରମାନେ ନାମ ପଞ୍ଜୀକରଣ ପାଇଁ ନିଜ ଅଞ୍ଚଳର ବୁଥ୍ ସ୍ତରୀୟ ଅଧିକାରୀଙ୍କ ନିକଟରେ ଫର୍ମ-୬ରେ ଆବେଦନ କରିପାରିବେ। ସଂଶୋଧନ ପରେ ନାମ ବାଦ୍ ପଡ଼ିଥିବା ଯୋଗ୍ୟ ନାଗରିକମାନେ ମଧ୍ୟ ନିଜ ଅଞ୍ଚଳର ବୁଥ୍ ସ୍ତରୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ନାମ ସାମିଲ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ।
ଗଞ୍ଜାମ ଜିଲ୍ଲାରେ ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ଯୋଗ୍ୟ ନାଗରିକଙ୍କୁ ଚିହ୍ନଟ କରିବା ସହ ନାମ ସାମିଲ ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦେଉଛନ୍ତି। ଏଥିପାଇଁ ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଇଛି।
ଜିଲ୍ଲାର ସମସ୍ତ ଯୋଗ୍ୟ ନାଗରିକ ନିଜ ନାମ ଭୋଟର ତାଲିକାରେ ରହିଛି କି ନାହିଁ ଯାଞ୍ଚ କରିବା ସହ ନାମ ନଥିଲେ ଏହି ସୁଯୋଗର ଲାଭ ନେବାକୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଭି. କୀର୍ତ୍ତି ଭାସନ ଗଞ୍ଜାମବାସୀଙ୍କୁ ଅନୁରୋଧ କରିଛନ୍ତି।
