ଦିନରେ ରେକି,ରାତିରେ ଘରେ କେହି ନଥିବା ବେଳେ ଚୋରି
ବିଂଝାରପୁର। (ସ୍ମୃତିରେଖା ମଲ୍ଲିକ) : ମଙ୍ଗଳପୁର ପୋଲିସ୍ ୫ ଜଣ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ କେତେକ ଚୋରି ସାମଗ୍ରୀ ଉଦ୍ଧାର ବି କରିଛି। ୨ ମାସ ପରେ
ଆଉ ଏକ ଲୁଟେରା ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହେବା ପୋଲିସ୍ ପାରିବା ପଣିଆର ଦୃଷ୍ଟାନ୍ତ। ଆଜି ମଙ୍ଗଳପୁର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ ଡି ପି ଓ ପ୍ରଶାନ୍ତ କୁମାର ମାଝି ଚୋରି ଓ ଲୁଟେରା ଗ୍ୟାଙ୍ଗଙ୍କୁ ଗିରଫ କରିବା ଓ ଚୋରି ସାମଗ୍ରୀ ଜବତ କରିବା ନେଇ ବିସ୍ତୃତ ସୂଚନା ରଖିଛନ୍ତି । ଶ୍ରୀ ମାଝିଙ୍କ ସୂଚନା ମୁତାବକ ଗତ ମାସ ୧୮ ଓ ଚଳିତ ମାସ ୫ ତାରିଖ ରେ ମଲ୍ଲିକାପୁର ମହାନ୍ତି ପାଟଣା ଗାଁରେ ଦୁଇଟି ଚୋରି ଅଭିଯୋଗ ହୋଇଥିଲା। ଏସ ଆଇ ସଂଯୁକ୍ତା ପଣ୍ଡା ଓ ବିଭୂତି ଭୂଷଣ ମହାପାତ୍ର ଏହି ଚୋରି ମାମଲାର ତଦନ୍ତ ଅଧିକାରୀ ଥିଲେ। ଥାନା ଅଂଚଳରେ ବାରମ୍ବାର ଚୋରି ଉଚ୍ଚ ଅଧିକାରୀଙ୍କ ମୁଣ୍ଡ ବ୍ୟଥା ପାଲଟିଥିଲା। ଏସଡିପିଓ ଶ୍ରୀ ମାଝି ୨ ଟି ସ୍ଵତନ୍ତ୍ର ଦଳ ଗଠନ କରି ବିଭିନ୍ନ ଦିଗକୁ ଗୁରୁତ୍ୱ ଦେବା ଓ ଚୋର ବ୍ଯବହାର କରୁଥିବା ମୋବାଇଲ ଟ୍ରାକ କରି ଥିଲେ । ବିଭିନ୍ନ ଜାଗାରୁ ଲୁଟେରା ଗ୍ୟାଙ୍ଗର ଆକାଶ ସେଠୀ, ଲିପୁ ଜେନା, ସୁଜିତ ନାଥ,ଶମ୍ଭୁନାଥ ଦାସ ଓ ଅସଗର ଅଲ୍ଲୀ ଙ୍କୁ ଗିରଫ କରିଥିଲେ। ସେମାନଙ୍କ ଠାରୁ ଚୋରି ହୋଇଥିବା ଟି ଭି ଓ ଅନ୍ୟ କେତେକ ସାମଗ୍ରୀ ଜବତ କରାଯାଇଛି। ଦିନ ବେଳା ରେକି ଓ ରାତିରେ ଘରେ କେହି ନଥିବା ସୁଯୋଗରେ ସ୍କାଇ ଲାଇଟ୍ ଭାଙ୍ଗି ଲୁଟେରା ଚୋରି କରିଥିଲେ ବୋଲି ଶ୍ରୀ ମାଝି ସୂଚନା ଦେବା ସହ କେତେକ ଲୁଟେରା ଅପରାଧିକ ମାମଲାରେ ସମ୍ପୃକ୍ତ ଥିଲେ। ପୁର୍ବରୁ ଗତ ମେ ମାସରେ ଏସଡି ପିଓ ଙ୍କ ନେତୃତ୍ୱରେ ଗଠିତ ସ୍ଵତନ୍ତ୍ର ପୋଲିସ ଦଳ ସିରିଜ ଚୋରି, ଡକାୟତି ମାମଲାରେ,୭ ଜଣ ଡକାୟତଙ୍କୁ ଗିରଫ କରିବା ସହ ଚୋରି ସୁନା ଅଳଙ୍କାର, ମୋବାଇଲ ଓ ୨ ଟି ବାଇକ୍ ଜବତ କରିଥିଲା। ପ୍ରକାଶ ଯେ ଏସ ଡି ପି ଓ ଶ୍ରୀ ମାଝି ପୂର୍ବରୁ ବିଞ୍ଝାରପୁର ଓ ମଙ୍ଗଳପୁର ଥାନାରେ କାର୍ଯ୍ଯ କରି ଥିଲେ । ଦୀର୍ଘଦିନର ଅଭିଜ୍ଞତା ଓ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ସଫଳତାର ଶୀର୍ଷକୁ ବଢିବାରେ ସାଥ ଦେଉଛି।
