ବିଞ୍ଝାରପୁର ଗ୍ରାମ୍ୟ ଜଳଯୋଗାଣ ବିଭାଗ କର୍ମଚାରୀଙ୍କ ଚଉକି ମୋହ
ତିନି ଦଶନ୍ଧି ହେଲା ଗୋଟିଏ ଜାଗାରେ, ବଦଳି ହେଉ ନାହିଁ କାହିଁକି
ବିଞ୍ଝାରପୁର ସ୍ମୃତିରେଖା ମଲ୍ଲିକ) ଚାକିରି କଲେ ଅଧିକାଂଶ କ୍ଷେତ୍ରରେ ବଦଳି ରହିଛି। ମାତ୍ର କେତେକ କର୍ମଚାରୀ ଉପରିସ୍ଥ ଅଧିକାରୀ, ରାଜନେତାଙ୍କୁ ତୁଷ୍ଟ କରି ଗୋଟିଏ ଗୋଟିଏ ଜାଗାରେ ୨୫ ରୁ ୩୦ ବର୍ଷ ଧରି କାର୍ଯ୍ଯ କରୁଛନ୍ତି । ସେମାନଙ୍କ ବଦଳି କରିବାକୁ ସାହସ କରନ୍ତି ନାହିଁ ବିଭାଗୀୟ ଉଚ୍ଚ ଅଧିକାରୀ । ଫଳରେ ସଂପୃକ୍ତ କର୍ମଚାରୀ ନିଜ କାମ ପଛ କରି ଲାଭଜନକ କାମରେ ନିଜକୁ ନିୟୋଜିତ କରି ମୋଟା ଅଙ୍କର ଅର୍ଥ ରୋଜଗାର କରନ୍ତି। ବିଞ୍ଝାରପୁର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗରେ ଯଶୋବନ୍ତ ଧଳ ଦୀର୍ଘ ୨୫ ବର୍ଷ ହେଲା କାର୍ଯ୍ଯ କରିଆସୁଛନ୍ତି । ସେ ସ୍ଥାନୀୟ ବାସିନ୍ଦା। ତାଙ୍କ କାମ କାର୍ଯ୍ୟାଳୟରେ । ମାତ୍ର ସେ ମହାଶୟ ନଳକୂପ ବସାଇବା ଓ ମରାମତି ପାଇଁ ଆସୁଥିବା ଯନ୍ତ୍ରାଂଶ ବାହାରେ ବିକ୍ରି କରି ବେଶ୍ ଦୁଇ ପଇସା ରୋଜଗାର କରିଛନ୍ତି। ଗ୍ରାମ ପଞ୍ଚାୟତ ନଳକୂପ ମରାମତି ଦାୟିତ୍ୱ ନେବା ପରେ ଧଳ ବାବୁ ଠିକା କାମରେ ବ୍ୟସ୍ତ। ନଳକୂପ ସ୍ଥାପନ କରି ସେ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବାର ଅଭିଯୋଗ ହେଉଛି। ୨୫ ବର୍ଷ ରୁ ଅଧିକ ସମୟ ଗୋଟିଏ ଜାଗାରେ ରହି କାମ କରୁଥିଲେ ମଧ୍ୟ ତାଙ୍କର ଅନ୍ୟତ୍ର ବଦଳି ହେଉନି। କରିତକର୍ମା କର୍ମଚାରୀ ଜଣକ ତଳୁ ଉପର ସମସ୍ତ ଅଧିକାରୀ ରାଜନେତାଙ୍କୁ ହାତ ବାରିଶି କାରୀ ଏଠାରେ ଆସ୍ଥାନ ଜମାଇ ବସିଛନ୍ତି। କାର୍ଯ୍ୟାଳୟରେ କାମ କରିବା ପରିବର୍ତ୍ତେ ସେ ବିଭିନ୍ନ ପଞ୍ଚାୟତ ବୁଲି ଠିକା କାମ କରିବାରେ ବ୍ୟସ୍ତ। ଏ ସଂପର୍କରେ ବିଭାଗୀୟ ଏସଡିଓ ଅନିଲ କୁମାର ସାମଲଙ୍କୁ ପଚାରିବାରୁ ସେ ଅନୁସନ୍ଧାନ କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି । ସେହିପରି ବିଞ୍ଝାରପୁର କାର୍ଯ୍ୟାଳୟ ଦାୟିତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀ ଗୀତାଞ୍ଜଳି ରଥ କୁହନ୍ତି ଯେ ସେ ୭ ବର୍ଷ ହେଲା ଏଠାରେ କାର୍ଯ୍ଯ କରୁଛନ୍ତି ।
ଜଣେ ମହିଳା ଭାବେ ସେ କାର୍ଯ୍ୟସ୍ଥଳକୁ ସବୁ ସମୟରେ ଯିବା ଅସହଜ। ତେଣୁ ଶ୍ରୀ ଧଳଙ୍କୁ ହେଉଥିବା କାର୍ଯ୍ୟର ତଦାରଖ, ଅନୁଧ୍ୟାନ ପାଇଁ ପଠାଇଥାନ୍ତି । କନିଷ୍ଠ ଯନ୍ତ୍ରୀ ଶ୍ରୀମତୀ ରଥ ବୈଷୟୀକ ଜ୍ଞାନ କୌଶଳର ଅଧିକାରୀ । ତାଙ୍କ ପରିବର୍ତ୍ତେ ଜଣେ ଅନଭିଜ୍ଞ, ବୈଷୟିକ ଜ୍ଞାନ କୌଶଳ ରେ ଅଜ୍ଞ ବ୍ୟକ୍ତିଙ୍କୁ କାମ ତଦାରଖରେ ପଠାଇବା କେତେ ଦୂର ଯୁକ୍ତିଯୁକ୍ତ ତାହା ବିଚାର୍ଯ୍ୟ।ଶ୍ରୀ ଧଳଙ୍କୁ ଏଠାରୁ ଅନ୍ୟତ୍ର ବଦଳି କରାଯିବାକୁ ବିଞ୍ଝାରପୁର ଅଞ୍ଚଳର କେତେକ ବୁଦ୍ଧିଜୀବି ଅଣ୍ଟା ଭିଡିଛନ୍ତି। ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ବଦଳି ପାଇଁ ଜଣାଇବାକୁ ସ୍ଥିର କରାଯାଇଛି । ସରକାରୀ ଚାକିରି କରି କର୍ମଚାରୀ ଜଣକ କିଭଳି ତାଙ୍କ ବିଭାଗର ଠିକା କାମ କରୁଛନ୍ତି ତଦନ୍ତ ସାପେକ୍ଷ।
