*ନୂଆପଡ଼ାରେ ଛାତ୍ର ସଂସଦ ନିର୍ବାଚନ ପ୍ରସ୍ତୁତି ବୈଠକ ଅବାଧ, ନିରପେକ୍ଷ ଓ ହିଂସାମୁକ୍ତ ନିର୍ବାଚନ ଉପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଗୁରୁତ୍ୱ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା-୦୭/୧୦:
ଆସନ୍ତା ୧୫ ଅକ୍ଟୋବର ୨୦୨୬ରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ପରିପ୍ରେକ୍ଷୀରେ ନୂଆପଡ଼ା ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତି ଓ ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପର୍କରେ ଏକ ସମନ୍ୱୟ ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛିl
ବୈଠକରେ ଜିଲ୍ଲାପାଳ ଶ୍ରୀ ଦାଶ ଛାତ୍ର ସଂସଦ ନିର୍ବାଚନକୁ ଅବାଧ, ନିରପେକ୍ଷ, ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ମହାବିଦ୍ୟାଳୟ ପରିସରରେ କୌଣସି ପ୍ରକାର ହିଂସା, ଗଣ୍ଡଗୋଳ କିମ୍ବା ଅପ୍ରୀତିକର ପରିସ୍ଥିତି ଯେପରି ସୃଷ୍ଟି ନହୁଏ, ସେଥିପାଇଁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ, ପୁଲିସ ଓ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀମାନେ ସମନ୍ୱୟରେ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ ସିଂ ମଧ୍ୟ କ୍ୟାମ୍ପସରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ। ନିର୍ବାଚନ ସମୟରେ କୌଣସି ପ୍ରକାର ହିଂସାକୁ ପ୍ରଶ୍ରୟ ନଦେଇ ଆଇନଶୃଙ୍ଖଳା ବଜାୟ ରଖିବା ସହ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବାକୁ ସେ କହିଥିଲେ।
ବୈଠକରେ ମହାବିଦ୍ୟାଳୟର ପ୍ରବେଶ ଦ୍ୱାର ସମେତ ଆବଶ୍ୟକ ସ୍ଥାନରେ ସିସିଟିଭି କ୍ୟାମେରା ସ୍ଥାପନ, ସୁରକ୍ଷା ବ୍ୟବସ୍ଥା ଏବଂ ସମ୍ଭାବ୍ୟ ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।
ନୂଆପଡ଼ା ଜିଲ୍ଲାର ୭ଟି ଡିଗ୍ରୀ ମହାବିଦ୍ୟାଳୟ ରହିଛି ଯଥା ନ୍ୟାସନାଲ୍ କଲେଜ, ନୂଆପଡ଼ା; ପଞ୍ଚାୟତ ସମିତି ଡିଗ୍ରୀ କଲେଜ, କୋମନା; କେ.ଏମ୍. ଡିଗ୍ରୀ କଲେଜ, ଟୁକ୍ଲା; ମଡେଲ୍ ଡିଗ୍ରୀ କଲେଜ, ଖଡ଼ିଆଳ; ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ, ଖଡ଼ିଆଳ; ସିନାପାଲି କଲେଜ, ସିନାପାଲି ଏବଂ ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜ, ବୋଡ଼େନ।
ଏହି ଅବସରରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜିତ ନାୟକ, ଉପଜିଲ୍ଲାପାଳ ସୁର୍ମି ସୋରେନଙ୍କ ସମେତ ମହାବିଦ୍ୟାଳୟଗୁଡ଼ିକର ଅଧ୍ୟକ୍ଷ ଓ ଅଧକ୍ଷା ପ୍ରମୁଖ ଉପସ୍ଥିତ ଥିଲେ।
