‘ମଧ୍ୟସ୍ଥତା 3.0’ ମାଧ୍ୟମରେ ମାମଲାର ସମାଧାନ ପାଇଁ ଦେଶବ୍ୟାପୀ ଜନ ଅଭିଯାନ।
ଗଜପତି (ଟିକି ଲିମା)
‘ମଧ୍ୟସ୍ଥତା’ ମାଧ୍ୟମରେ ଉଚ୍ଚ ନ୍ୟାୟାଳୟ, ଜିଲ୍ଲା ଅଦାଲତ ଓ ତାଲୁକ ଅଦାଲତରେ ବିଚାରାଧୀନ ଯୋଗ୍ୟ ମାମଲାଗୁଡ଼ିକର ସରଳ, ସହଜ ଓ ଶୀଘ୍ର ସମାଧାନ ପାଇଁ ଦେଶରେ ତୃତୀୟଥର ପାଇଁ ‘ମଧ୍ୟସ୍ଥତା 3.0’ ଅଭିଯାନ ଆରମ୍ଭ ହୋଇଛି। ଏହି ଦେଶବ୍ୟାପୀ ଅଭିଯାନ ୧ ଅକ୍ଟୋବର ୨୦୨୬ରୁ ଆରମ୍ଭ ହୋଇଛି। ଏହି ଅଭିଯାନର ସୁଯୋଗ ନେଇ ଯୋଗ୍ୟ ମାମଲାଗୁଡ଼ିକର ପରିସମାପ୍ତି କରିବାକୁ ଜନସାଧାରଣ ଓ ମାମଲାର ପକ୍ଷମାନଙ୍କୁ ଆହ୍ୱାନ କରାଯାଉଛି।
ଏହି ଅଭିଯାନ ଅଧୀନରେ ଘରୋଇ ହିଂସା ଓ ଯୌତୁକ ନିର୍ଯାତନା, ଭୂ-ଅଧିଗ୍ରହଣ, ପାରିବାରିକ ବିବାଦ, ଚେକ୍ ବାଉନ୍ସ, ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ, ରଫାଯୋଗ୍ୟ ଫୌଜଦାରୀ ମାମଲା ସମେତ ବିଭିନ୍ନ ଯୋଗ୍ୟ ଦେୱାନୀ ଓ ଅନ୍ୟାନ୍ୟ ବିବାଦର ମଧ୍ୟସ୍ଥତା ମାଧ୍ୟମରେ ସମାଧାନ କରାଯାଇପାରିବ।
ମଧ୍ୟସ୍ଥତା ମାଧ୍ୟମରେ ପକ୍ଷମାନଙ୍କ ସହମତିଭିତ୍ତିକ ଭାବେ ବିବାଦର ସମାଧାନ ହୋଇଥାଏ। ଏହା ଦ୍ୱାରା ସମୟ ଓ ଅର୍ଥର ସଞ୍ଚୟ ହେବା ସହିତ ମାମଲାର ଶୀଘ୍ର ପରିସମାପ୍ତି ସମ୍ଭବ ହୋଇଥାଏ। ତେଣୁ ଯୋଗ୍ୟ ମାମଲାର ପକ୍ଷମାନେ ଏହି ଅଭିଯାନର ସୁଯୋଗ ନେଇ ନିଜ ବିବାଦର ଶୀଘ୍ର ଓ ସହଜ ସମାଧାନ ପାଇଁ ଆଗେଇ ଆସିବାକୁ ଅନୁରୋଧ କରାଯାଉଛି।
ଅଧିକ ସୂଚନା ଓ ଆଇନଗତ ସହାୟତା ପାଇଁ ନିକଟସ୍ଥ ଜିଲ୍ଲା ଆଇନ ସେବା ପ୍ରାଧିକରଣ/ତାଲୁକ ଆଇନ ସେବା କମିଟି ସହ ଯୋଗାଯୋଗ କରିବା ସହିତ ଟୋଲ୍-ଫ୍ରି ଆଇନ ସହାୟତା ହେଲ୍ପଲାଇନ୍ 15100 ରେ ଯୋଗାଯୋଗ କରିପାରିବେ।
