ବେତନଟୀ କଲେଜ ଛାତ୍ର ସଂସଦ ନିର୍ବାଚନରେ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ: ବିଧାୟକ, ବିଜେପି ନେତୃବୃନ୍ଦ ଓ କଲେଜ ଅଧ୍ୟକ୍ଷଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ, ଥାନାର ଦ୍ୱାରସ୍ଥ ହେଲା ବିସିଜେଡି
ବେତନଟୀ,୫/୧୦: ବେତନଟୀ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା କ୍ଷଣି ହିଁ ଏହା ବିବାଦର ଘେରକୁ ଠେଲି ହୋଇଯାଇଛି। ନିର୍ବାଚନୀ ଆଚରଣ ବିଧି ଲାଗୁ ଥାଇ ମଧ୍ୟ କ୍ୟାମ୍ପସ ଭିତରେ ବାହ୍ୟ ରାଜନୈତିକ ହସ୍ତକ୍ଷେପ ତଥା ନିୟମ ଉଲ୍ଲଙ୍ଘନ ଅଭିଯୋଗ ଆଣି ବେତନଟୀ ଥାନାରେ ଏତଲା ଦେଇଛି ବିଜୁ ଛାତ୍ର ଜନତା ଦଳ (ବିସିଜେଡି)।
ମହାବିଦ୍ୟାଳୟ ପରିସରରେ ନିର୍ବାଚନ ପାଇଁ କଡ଼ା ନିୟମାବଳୀ ବଳବତ୍ତର ଥିବା ସତ୍ତ୍ୱେ ବଡ଼ସାହିର ସ୍ଥାନୀୟ ବିଧାୟକ ଶ୍ରୀ ସନାତନ ବିଜୁଳି ଏବଂ ଶାସକ ଦଳ ବିଜେପିର କିଛି ପ୍ରମୁଖ ନେତା ବିନା କୌଣସି ଆନୁଷ୍ଠାନିକ ଅନୁମତିରେ କ୍ୟାମ୍ପସରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ବିସିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଚିତ୍ତେଶ୍ୱର ବେହେରା ବେତନଟୀ ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।
ଅଭିଯୋଗପତ୍ରରେ ୬ ଦଫା ଦାବି ଉପସ୍ଥାପନ କରାଯାଇଛି ଯଥା ଘଟଣାର ତୁରନ୍ତ ନିରପେକ୍ଷ ତଦନ୍ତ। କଲେଜର ସିସିଟିଭି (CCTV) ଫୁଟେଜ୍ ଓ ସମସ୍ତ ରେକର୍ଡ ଜବତ କରି ସୁରକ୍ଷିତ ରଖିବା। ବିଧାୟକ ଓ ଦଳୀୟ କର୍ମୀଙ୍କ ଅଣ-ଅଧିକୃତ ପ୍ରବେଶର ତଦନ୍ତ। ଆଚରଣ ବିଧି ଉଲ୍ଲଙ୍ଘନ ପ୍ରମାଣିତ ହେଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ। ଛାତ୍ର ନିର୍ବାଚନକୁ ବାହ୍ୟ ରାଜନୈତିକ ଚାପରୁ ମୁକ୍ତ ରଖିବା। ସହିତ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ବାବଦରେ ଲିଖିତ ଭାବେ ଅବଗତ କରାଇବା। ଇତ୍ୟାଦି ତେବେ ଏହି ଘଟଣାରେ ବିଜେପି ନେତୃବୃନ୍ଦଙ୍କ ଶକ୍ତି ପ୍ରଦର୍ଶନ ସହିତ ବେତନଟୀ କଲେଜ ଅଧ୍ୟକ୍ଷଙ୍କ ଭୂମିକା ଗୁରୁତର ସନ୍ଦେହ ଘେରକୁ ଆସିଛି। ଆଚରଣ ବିଧି ଲାଗୁ ଥିବା ସମୟରେ ବାହାର ରାଜନୈତିକ ବ୍ୟକ୍ତିବିଶେଷ କାହା ଅନୁମତିରେ ପରିସରରେ ପଶିଲେ? ଅଧ୍ୟକ୍ଷ ସେମାନଙ୍କୁ ପ୍ରବେଶ କରିବାରେ ବାରଣ କଲେ ନାହିଁ କାହିଁକି, ନା ସେ ପ୍ରଶାସନିକ ଚାପ ଆଗରେ ଆତ୍ମସମର୍ପଣ କରିଛନ୍ତି—ତାହା ଏବେ ସାଧାରଣରେ ବଡ଼ ପ୍ରଶ୍ନ। ସରକାରୀ ଦଳର ପ୍ରଭାବ ଖଟାଇ ଶିକ୍ଷାନୁଷ୍ଠାନର ସ୍ୱାୟତ୍ତତା ତଥା ଛାତ୍ର ନିର୍ବାଚନର ସ୍ୱଚ୍ଛତା ଉପରେ କୁଠାରଘାତ କରିବା ନିନ୍ଦନୀୟ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
ଏକ ଉଚ୍ଚଶିକ୍ଷା ଅନୁଷ୍ଠାନର ଗଣତାନ୍ତ୍ରିକ ପ୍ରକ୍ରିୟାରେ ଏଭଳି ରାଜନୈତିକ ଅନୁପ୍ରବେଶ ଛାତ୍ର ସମାଜ ପାଇଁ ଅତ୍ୟନ୍ତ ଚିନ୍ତାଜନକ। ଉଚ୍ଚଶିକ୍ଷା ବିଭାଗ ଓ ପୁଲିସ ପ୍ରଶାସନ କୌଣସି ରାଜନୈତିକ ଚାପରେ ନପଡ଼ି, ତୁରନ୍ତ ସିସିଟିଭି ଫୁଟେଜ୍ ଯାଞ୍ଚ କରି କଲେଜ ଅଧ୍ୟକ୍ଷ ଓ ଅନୁପ୍ରବେଶକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏକାନ୍ତ ଆବଶ୍ୟକ ବୋଲି ବିସିଜେଡି ରାଜ୍ଯ ସଧାରଣ ସମ୍ପାଦକ କହିଛନ୍ତି ।
