କଙ୍କିଳୀ ପଞ୍ଚାୟତରେ ବିକାଶର ନୂଆ ଫର୍ଦ୍ଦ, ବିଧାୟକଙ୍କ ଦ୍ୱାରା ବହୁ ପ୍ରକଳ୍ପର ଶୁଭାରମ୍ଭ
ପରଜଙ୍ଗ (ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଙ୍କିଳୀ ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି ବିକାଶର ଏକ ବଡ଼ ଚିତ୍ର। ପଞ୍ଚାୟତ ପକ୍ଷରୁ ମାନ୍ୟବର ବିଧାୟକ ବିଭୂତି ଭୂଷଣ ପ୍ରଧାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହ ଅଞ୍ଚଳରେ ଏକାଧିକ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଶିଶୁ ଶ୍ରମିକ ମୁକ୍ତ ପଞ୍ଚାୟତ ଘୋଷଣା ଠାରୁ ଆରମ୍ଭ କରି ନୂତନ ରାସ୍ତାର ଭିତ୍ତିପ୍ରସ୍ଥର ସ୍ଥାପନ ଏବଂ କଲ୍ୟାଣମୂଳକ ଯୋଜନାରେ ଭତ୍ତା ବଣ୍ଟନ କରି ଗ୍ରାମବାସୀଙ୍କ ମନ ଜିଣିଛନ୍ତି ମାନ୍ୟବର ବିଧାୟକ।
କଙ୍କିଳୀ ହାଇସ୍କୁଲ ଖେଳ ପଡ଼ିଆରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କଙ୍କିଳୀକୁ ‘ଶିଶୁ ଶ୍ରମିକ ମୁକ୍ତ ପଞ୍ଚାୟତ’ ଭାବେ ଆନୁଷ୍ଠାନିକ ଘୋଷଣା କରାଯାଇଛି। ଟାଟା ଷ୍ଟିଲ ଫାଉଣ୍ଡେସନ ଏବଂ ସ୍ଥାନୀୟ ପ୍ରଶାସନର ମିଳିତ ପ୍ରୟାସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ବିଭୂତି ଭୂଷଣ ପ୍ରଧାନ ପଞ୍ଚାୟତକୁ ଶିଶୁ ଶ୍ରମିକ ମୁକ୍ତ ଘୋଷଣା କରିବା ସହ ଶିଶୁମାନଙ୍କ ସୁରକ୍ଷା ଓ ଶିକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି।ବିକାଶର ଏହି ଧାରାରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ‘କଙ୍କିଳୀ ଚକର ବନ୍ଧ ଠାରୁ ଜରିତଇଲା ରାସ୍ତା’ର ଶୁଭ ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି ବିଧାୟକ। ଏହାସହ ଜରିତଇଲା ଗ୍ରାମରେ ନୂତନ ଭାବେ ନିର୍ମିତ ଗୋଷ୍ଠୀ କେନ୍ଦ୍ର ଏବଂ ଗୋଡ଼ିଡିହ ଠାରେ ସୁସଜ୍ଜିତ ‘ଗୋଡ଼ଖସଡ଼ା ଶିବ ମନ୍ଦିର ଗୋଷ୍ଠୀ କେନ୍ଦ୍ର’ର ଶୁଭ ଉଦ୍ଘାଟନ ମଧ୍ୟ ବିଧାୟକଙ୍କ କରକମଳରେ ସମ୍ପନ୍ନ ହୋଇଛି, ଯାହା ସ୍ଥାନୀୟ ଜନସାଧାରଣଙ୍କ ସାମାଜିକ କାର୍ଯ୍ୟକ୍ରମ ପାଇଁ ବେଶ୍ ସହାୟକ ହେବ।କେବଳ ଭିତ୍ତିଭୂମି ନୁହେଁ, ବରଂ ସାମାଜିକ ସୁରକ୍ଷାକୁ ଅଧିକ ମଜଭୁତ କରି କଙ୍କିଳୀ ଗ୍ରାମ ଚୌପାଢ଼ୀ ପରିସରରେ ୪୭ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ମଧୁବାବୁ ପେନସନ ଭତ୍ତା କାର୍ଡ ବଣ୍ଟନ କରାଯାଇଛି। ନୂତନ ଭତ୍ତା ପାଇ ବୃଦ୍ଧବୃଦ୍ଧା ଓ ନିରାଶ୍ରୟ ଲୋକଙ୍କ ମୁହଁରେ ହସ ଫୁଟିଉଠିଥିବା ବେଳେ ସେମାନେ ମାନ୍ୟବର ବିଧାୟକ ଏବଂ ପଞ୍ଚାୟତ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।ଗୋଟିଏ ଦିନରେ ଏଭଳି ପାଞ୍ଚ ପାଞ୍ଚଟି ବଡ଼ ଜନକଲ୍ୟାଣକାରୀ ପ୍ରକଳ୍ପର ସଫଳ ରୂପାୟନ କଙ୍କିଳୀ ପଞ୍ଚାୟତକୁ ସମଗ୍ର ପରଜଙ୍ଗ ବ୍ଲକରେ ଏକ ମଡେଲ ପଞ୍ଚାୟତ ଭାବେ ଗଢ଼ି ତୋଳିବ ବୋଲି ପଂଚାୟତ ବାସୀ ଆଶାବାଦୀ ଅଛନ୍ତି ।
