ପଞ୍ଚାୟତକୁ ଶିଶୁ ଶ୍ରମିକ ମୁକ୍ତ ପଞ୍ଚାୟତ ଘୋଷଣା
ପରଜଙ୍ଗ (ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀ କଙ୍କିଳୀ ଗ୍ରାମ ପଞ୍ଚାୟତରେ ଲେଖାଯାଇଛି ପ୍ରଗତିର ଏକ ନୂଆ ସ୍ୱର୍ଣ୍ଣିମ ଅଧ୍ୟାୟ। କଙ୍କିଳୀ ହାଇସ୍କୁଲ ଖେଳ ପଡ଼ିଆଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ କଙ୍କିଳୀକୁ ଆନୁଷ୍ଠାନିକ ଭାବେ ‘ଶିଶୁ ଶ୍ରମିକ ମୁକ୍ତ ଗ୍ରାମ ପଞ୍ଚାୟତ’ ଭାବେ ଘୋଷଣା କରାଯାଇଛି। ଟାଟା ଷ୍ଟିଲ ଫାଉଣ୍ଡେସନ ଏବଂ କଙ୍କିଳୀ ଗ୍ରାମ ପଞ୍ଚାୟତର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିଭୂତି ଭୂଷଣ ପ୍ରଧାନ ଯୋଗଦେଇ ଏହି ଐତିହାସିକ ସଫଳତାର ଶୁଭାରମ୍ଭ କରିଛନ୍ତି। ଟାଟା ଷ୍ଟିଲ ଫାଉଣ୍ଡେସନ ଏବଂ ପଞ୍ଚାୟତ ପ୍ରଶାସନର ମିଳିତ ଜନକଲ୍ୟାଣକାରୀ ପ୍ରୟାସରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ବିଭୂତି ଭୂଷଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଙ୍କିଳୀକୁ ଶିଶୁ ଶ୍ରମିକ ମୁକ୍ତ ପଞ୍ଚାୟତ ଭାବେ ଘୋଷଣା କରିଛନ୍ତି। ବିଧାୟକ ନିଜ ଅଭିଭାଷଣରେ କହିଛନ୍ତି ଯେ, ପ୍ରତିଟି ଶିଶୁର ହାତରେ ଶ୍ରମ ବଦଳରେ ବହି ଓ ଖାତା ରହିବା ଉଚିତ୍ ଏବଂ ସେମାନଙ୍କୁ ଏକ ସୁରକ୍ଷିତ ତଥା ଶିକ୍ଷିତ ପରିବେଶ ପ୍ରଦାନ କରିବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ।ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ସମସ୍ତ ଜନପ୍ରତିନିଧି, ସ୍ଥାନୀୟ ମହିଳା, ଗ୍ରାମ୍ୟ ମୁରବୀ ଏବଂ ଟାଟା ଷ୍ଟିଲ ଫାଉଣ୍ଡେସନର ବରିଷ୍ଠ କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ। କଙ୍କିଳୀକୁ ଏକ ଆଦର୍ଶ ମଡେଲ ପଞ୍ଚାୟତ ଭାବେ ଗଢ଼ି ତୋଳିବା ସହ ସମଗ୍ର ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ଏହି ଅବସରରେ ସାମୂହିକ ସଂକଳ୍ପ ନିଆଯାଇଛି।
ଟାଟା ଷ୍ଟିଲ ଫାଉଣ୍ଡେସନର ଏହି ଅଭିନବ ପ୍ରୟାସ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଏକ ନୂଆ ଉତ୍ସାହ ଭରିଦେଇଥିବା ବେଳେ, ବିକଶିତ କଙ୍କିଳୀ ଗଠନ ଦିଗରେ ଏହା ଏକ ମାଇଲଖୁଣ୍ଟ ସାଜିବ ବୋଲି ଆଶା କରାଯାଉଛି।
