ବେତନଟୀରେ ବନବିଭାଗର ବଡ଼ ଧରପଗଡ଼: ବେଆଇନ କରତକଳ ଯନ୍ତ୍ରାଂଶ ସହ ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର କାଠ ଜବତ, ଜଣେ ଗିରଫ
ବେତନଟୀ, ୩/୧୦: ମୟୂରଭଞ୍ଜ ଜିଲ୍ଲା ବେତନଟୀ ବନଞ୍ଚଳ ଅଧୀନ ବାଲକା ଗ୍ରାମରେ ବନବିଭାଗ ଓ ପୁଲିସ ଟିମ ମିଳିତ ଚଢ଼ାଉ କରି ଏକ ବେଆଇନ ଭ୍ରାମ୍ୟମାଣ କରତକଳ ଠାବ କରିଛି। ଏହି କାର୍ଯ୍ୟାନୁଷ୍ଠାନ ବେଳେ ପ୍ରାୟ ୫ ଲକ୍ଷରୁ ଅଧିକ ଟଙ୍କାର କାଠପଟା, କାଠଗଣ୍ଡି ଓ ଯନ୍ତ୍ରାଂଶ ଜବତ ହେବା ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି।
ଗଡ଼ଦେଉଳିଆ ପଞ୍ଚାୟତର ବାଲକା ଗ୍ରାମରେ ଦୀର୍ଘଦିନ ଧରି ଭ୍ରାମ୍ୟମାଣ କରତକଳ ଚଳାଇ କାଠପଟା ଓ ଝରକା-ଦ୍ୱାର ବନ୍ଧ ପ୍ରସ୍ତୁତ କରାଯାଇ ବାହାର ଜିଲ୍ଲାକୁ ଚାଲାଣ ହେଉଥିବା ଖବର ମିଳିଥିଲା। ସୂଚନା ପାଇ ବାରିପଦା ଏସିଏଫ୍ ଶେଖ ମେହେରବାନ ଅଲ୍ଲୀ ଓ ବେତନଟୀ ରେଞ୍ଜର ଜ୍ୟୋତିରଞ୍ଜନ ସେନାପତିଙ୍କ ନେତୃତ୍ୱରେ ବନବିଭାଗ ଟିମ୍ ପୁଲିସ ସହାୟତାରେ ଶୁକ୍ରବାର ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ କିଛି ମାଫିଆ ଫେରାର ହୋଇଯାଇଥିବା ବେଳେ ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳର ମୁରଲୀଧର ପ୍ରଧାନ (୪୦)କୁ କାବୁ କରାଯାଇଛି। ଘଟଣାସ୍ଥଳରୁ ଗୋଟିଏ ଭୁଟୁଭୁଟି, କରତକଳ ଯନ୍ତ୍ରାଂଶ, ବ୍ଲେଡ୍, ଦୁଇ ପିକଅପ୍ କାଠପଟା ଏବଂ ଗୋଟିଏ ପିକଅପ୍ କାଠଗଣ୍ଡି ଜବତ କରାଯାଇ ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଛି। ଏହି ଅଭିଯାନରେ ବେତନଟୀ, କୃଷ୍ଣଚନ୍ଦ୍ରପୁର, ବୈଶିଙ୍ଗା ଓ ବଡାମପୁର ବନପାଳଙ୍କ ସମେତ ବୈଶିଙ୍ଗା ପୁଲିସ ସାମିଲ ଥିଲେ। ଧରାପଡ଼ିଥିବା ଅଭିଯୁକ୍ତର ଡାକ୍ତରୀ ମାଇନା ପରେ ତାକୁ କୋର୍ଟ ଚାଲାଣ କରାଯିବ ଏବଂ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଫେରାର୍ ଅଭିଯୁକ୍ତଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
