ଗାଙ୍ଗପୁର ଥାନାରେ ତିନି ପୋଲିସ୍ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ; ତିନି ପୋଲିସ୍ ଅଧିକାରୀଙ୍କ ବଦଳି
ବେଲଗୁଣ୍ଠା , ୧/୧୦: -(ଶିବରାମ ଚୌଧୁରୀ )-ଗାଙ୍ଗପୁର ଥାନାରେ କାର୍ଯ୍ୟରତ ତିନି ପୋଲିସ୍ ଅଧିକାରୀଙ୍କ ବଦଳି ଅବସରରେ ଥାନା ପରିସରରେ ବୁଧବାର ରାତିରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଛି। ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ ମୁଖ୍ୟ ଅତିଥି ଏବଂ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଡ. ଦୀପକ କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବଦଳି ହୋଇଥିବା ଅଧିକାରୀଙ୍କ ମଧ୍ୟରେ ଗାଙ୍ଗପୁର ଥାନାର ଅତିରିକ୍ତ ଥାନା ଅଧିକାରୀ ସାରାଲତା ପ୍ରଧାନଙ୍କୁ ଜିଲ୍ଲା ପୋଲିସ୍ ମୁଖ୍ୟାଳୟକୁ, ଏଏସ୍ଆଇ ସୁଷମା ବେହେରାଙ୍କୁ ବେଲଗୁଣ୍ଠା ଥାନାକୁ ଏବଂ ଏଏସ୍ଆଇ ବୋରୋଗାନା ୟାଲ୍ଲାମା ନାଇଡୁଙ୍କୁ ଭଞ୍ଜନଗର ଥାନାକୁ ବଦଳି ହୋଇଛି। ଏହି ଅବସରରେ ଅନୁଷ୍ଠିତ ସଭାରେ ଅତିଥିମାନେ ତିନି ଅଧିକାରୀଙ୍କ ନିଷ୍ଠାପର କର୍ତ୍ତବ୍ୟ, ଶୃଙ୍ଖଳା ଓ କାର୍ଯ୍ୟଦକ୍ଷତାର ପ୍ରଶଂସା କରିଥିଲେ। ଗାଙ୍ଗପୁର ଥାନାରେ ସେମାନଙ୍କ କାର୍ଯ୍ୟକାଳର ଅଭିଜ୍ଞତା ନୂଆଁ କାର୍ଯ୍ୟକ୍ଷେତ୍ରରେ ଉପଯୋଗୀ ହେବା ସହ ସେମାନେ ଦକ୍ଷତାର ସହ କର୍ତ୍ତବ୍ୟ ସମ୍ପାଦନ କରିବେ ବୋଲି ଅତିଥିମାନେ ଆଶା ପ୍ରକାଶ କରିଥିଲେ। ମା’ ବୁଢ଼ାକେନ୍ଦୁ ଓ ଶ୍ରୀଶ୍ରୀ ସ୍ୱପ୍ନେଶ୍ୱରଙ୍କ କୃପାରୁ ସେମାନଙ୍କ ନୂଆଁ କାର୍ଯ୍ୟକ୍ଷେତ୍ର ମଙ୍ଗଳମୟ ହେଉ ବୋଲି ଉପସ୍ଥିତ ବ୍ୟକ୍ତିମାନେ କାମନା କରିଥିଲେ।
ଏହି ଅବସରରେ ବେଲଗୁଣ୍ଠା ପ୍ରେସକ୍ଲବ୍ର ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ, ସଦସ୍ୟ କୃଷ୍ଣଚନ୍ଦ୍ର ପଟ୍ଟନାୟକ ଓ ପଞ୍ଚାନନ ସାହୁ, ବେଣୀପଲ୍ଲୀ ସରପଞ୍ଚ ଦୂର୍ଗାମାଧବ ନାୟକ,ମୁନିଗାଡ଼ି ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ସ୍ବାଇଁଙ୍କ ସମେତ ଗାଙ୍ଗପୁର ଥାନାର ସମସ୍ତ ପୋଲିସ୍ କର୍ମଚାରୀ ଉପସ୍ଥିତ ରହି ତିନି ଅଧିକାରୀଙ୍କୁ ବିଦାୟ ଶୁଭେଚ୍ଛା ଜଣାଇଥିଲେ।
