*ନୂଆପଡ଼ାରେ ଜିଲ୍ଲା ସମବାୟ ବିକାଶ କମିଟି ବୈଠକ: ଚାଷୀଙ୍କ ବିକାଶ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ*।
ନୂଆପଡ଼ା(ମିଖାଏଲ ନନ୍ଦ),
ତା.୩୦/୦୯:
ନୂଆପଡ଼ା ଜିଲ୍ଲାରେ ସମବାୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ଚାଷୀଙ୍କ ପାଇଁ ଅଧିକ ଉପଯୋଗୀ କରିବା ନେଇ ଜିଲ୍ଲା ସମବାୟ ବିକାଶ କମିଟିର ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛିl
ଆରମ୍ଭରେ ଉପନିବନ୍ଧକ ସମବାୟ ସମିତି ଶିବ ପ୍ରସାଦ ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଇଥିଲେ।
ବୈଠକରେ ଜିଲ୍ଲାରେ ସାର ଯୋଗାଣ ଓ ବିକ୍ରୟ ସ୍ଥିତି ସମୀକ୍ଷା କରାଯାଇଥିଲା। ଜିଲ୍ଲାରେ ସାରର କୌଣସି ଅଭାବ ନଥିବା ନେଇ ଜିଲ୍ଲାପାଳ ସନ୍ତୋଷ ପ୍ରକାଶ କରିଥିଲେ। ୟୁରିଆ ସମେତ ଅନ୍ୟାନ୍ୟ ସାର ନିର୍ଦ୍ଧାରିତ ସର୍ବାଧିକ ଖୁଚୁରା ମୂଲ୍ୟ (MRP) ଠାରୁ ଅଧିକ ଦରରେ ବିକ୍ରୟ ନହେବା ନିଶ୍ଚିତ କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ଚାଷୀଙ୍କ ଉତ୍ପାଦକୁ ଉପଯୁକ୍ତ ବଜାର ସୁବିଧା ଯୋଗାଇବା ଏବଂ ମଧ୍ୟସ୍ଥଙ୍କ ଉପରେ ନିର୍ଭରଶୀଳତା କମାଇବା ଉଦ୍ଦେଶ୍ୟରେ ପ୍ୟାକ୍ସ ମାଧ୍ୟମରେ ଚାଷୀଙ୍କଠାରୁ କ୍ଷୀର ସଂଗ୍ରହ କରି ଓମ୍ଫେଡ୍କୁ ଯୋଗାଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛିl ସେହିପରି ଚାଷୀଙ୍କ ଅଭାବି ବିକ୍ରି (Distress Sale) ରୋକିବା ଲକ୍ଷ୍ୟରେ ପ୍ୟାକ୍ସ (PACS) ମାଧ୍ୟମରେ ଚାଷୀଙ୍କଠାରୁ ପନିପରିବା ସଂଗ୍ରହ କରି ଘରେ ଡେଲିଭେରୀ ନେଇ ମଧ୍ୟ ପଦକ୍ଷେପ ନେବାକୁ ସ୍ଥିର କରାଯାଇଛି।
ଖରିଫ ଓ ରବି ଋତୁରେ ଧାନ ସଂଗ୍ରହ ସମ୍ପର୍କିତ ବିଭିନ୍ନ ସମସ୍ୟାର ସମାଧାନ ଓ ସମନ୍ୱୟ ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ଏଥିରେ ଉପଜିଲ୍ଲାପାଳ, ଉପନିବନ୍ଧକ ସମବାୟ ସମିତି (DRCS), ଜିଲ୍ଲା ଯୋଗାଣ ଅଧିକାରୀ (CSO), RMC ସମ୍ପାଦକ, ARCS ଏବଂ TPWODLର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଦସ୍ୟ ଭାବେ ରହିବେ।
ଧାନ ସଂଗ୍ରହ କେନ୍ଦ୍ରଗୁଡ଼ିକରେ ଶୌଚାଳୟ, ପାନୀୟ ଜଳ, ବିଶ୍ରାମଗାର ସମେତ ଆବଶ୍ୟକ ମୌଳିକ ସୁବିଧା ନିଶ୍ଚିତ କରିବା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଚାଷୀମାନେ ଯେପରି ଧାନ ବିକ୍ରୟ ସମୟରେ ସୁବିଧା ପାଇପାରିବେ, ସେଥିପାଇଁ ସମ୍ପୃକ୍ତ ବିଭାଗ ଓ ସଂସ୍ଥାଗୁଡ଼ିକୁ ସମନ୍ୱୟରେ କାର୍ଯ୍ୟ କରିବାକୁ କୁହାଯାଇଥିଲା।
ସମବାୟ ସଂସ୍ଥାଗୁଡ଼ିକୁ ଅଧିକ ବହୁମୁଖୀ କରିବା ଉଦ୍ଦେଶ୍ୟରେ ପ୍ୟାକ୍ସଗୁଡ଼ିକରେ ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ଏବଂ ପ୍ରାଣୀ ଔଷଧି କେନ୍ଦ୍ର ଖୋଲିବା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।
ବୈଠକରେ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ସୁଖେନ୍ଦୁ ରାୟ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଣତିରାଣୀ ପ୍ରଧାନ, ମୁଖ୍ୟ ଜିଲ୍ଲା ମତ୍ସ୍ୟ ଅଧିକାରୀ ତୁଷାର ଦୀପ, ଏଲଡିଏମ ହରିଶଙ୍କର ନିଆଲ, ସହକାରୀ ନିର୍ଦ୍ଦେଶକ, ହସ୍ତଶିଳ୍ପ ମାନସ କୁମାର ପଟେଲଙ୍କ ସମେତ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
