*ମହାନଦୀରେ ଚତୁର୍ଥ ବନ୍ୟା, ତିର୍ତ୍ତୋଲ ବ୍ଲକରେ ପରିସ୍ଥିତି ଅପରିବର୍ତ୍ତିତ*
ତିର୍ତ୍ତୋଲ (ନି.ପ୍ର ): ଜଗତସିଂହପୁର ଜିଲ୍ଲା ତିର୍ତୋଲ ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ପାଣି ଦ୍ୱାରା ତିର୍ତ୍ତୋଲ ବ୍ଲକର ୩ଟି ପଞ୍ଚାୟତର ୩ଟି ଅଞ୍ଚଳରେ ବନ୍ୟା ପରିସ୍ଥିତି ଅପରିବର୍ତ୍ତିତ ରହିଛି। ଆଜି ଜିଲ୍ଲାପାଳ, ଏସପି ଓ ପିଡି ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ।
ପ୍ରାପ୍ତ ସୂଚନା ଅନୁଯାୟୀ ତରଜଙ୍ଗା ପଞ୍ଚାୟତର କୋଟକଣା, ତିର୍ତ୍ତୋଲ ପଞ୍ଚାୟତର ମୁଣ୍ଡାସାହି ଓ ମଣିଜଙ୍ଗା ପଞ୍ଚାୟତର ବେହେରାସାହି ଗ୍ରାମ ପ୍ରଭାବିତ ହୋଇଛି। ଏହି ତିନି ଗ୍ରାମର ଶହେ ପରିବାରର ପ୍ରାୟ ୪୦୦ ଲୋକ ପ୍ରଭାବିତ ହୋଇଛନ୍ତି।
ବନ୍ୟା ପ୍ରଭାବିତ ଲୋକଙ୍କୁ ନିକଟସ୍ଥ ବିଦ୍ୟାଳୟରେ ଆଶ୍ରୟ ଦିଆଯାଇଛି। କୋଟକଣା ଲୋକଙ୍କୁ ତରଜଙ୍ଗା ହାଇସ୍କୁଲ, ମୁଣ୍ଡାସାହି ଲୋକଙ୍କୁ ଏସକେ ଏକାଡେମୀ ଓ ବେହେରାସାହି ଲୋକଙ୍କୁ ମଣିଜଙ୍ଗା ହାଇସ୍କୁଲରେ ରଖାଯାଇଛି। ପ୍ରଶାସନ ତରଫରୁ ରନ୍ଧା ଖାଦ୍ୟ ଓ ଗୋରୁଗାଈଙ୍କ ପାଇଁ ଗୋଖାଦ୍ୟ ଯୋଗାଇ ଦିଆଯାଉଛି।
କିଛି ଲୋକ ତାଳଦଣ୍ଡା କେନାଲ ବନ୍ଧ ଉପରେ ପାଲ ଟାଣି ରହୁଛନ୍ତି ଓ ରାତି ଅନ୍ଧାରରେ ଭୟଭୀତ ଅବସ୍ଥାରେ ରହୁଛନ୍ତି।
ଆଜି ମଧ୍ୟାହ୍ନରେ ଜିଲ୍ଲାପାଳ ଜେ. ସୋନାଲ, ଏସପି ଅଙ୍କିତ ବର୍ମା ଓ ପିଡି ଅକ୍ଷୟ ପିଲେ ମୁଣ୍ଡାସାହି ଓ ବେହେରାସାହି ଅଞ୍ଚଳ ବୁଲି ଦେଖିଥିଲେ। ପରେ ଜିଲ୍ଲାପାଳ ଏସକେ ଏକାଡେମୀରେ ଆଶ୍ରୟ ନେଇଥିବା ଲୋକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସହ ରନ୍ଧା ଖାଦ୍ୟ ଖାଇଥିଲେ।
ଗତ ବନ୍ୟା ବିପଦରୁ କଷ୍ଟେମଷ୍ଟେ ଜୀବନଜୀବିକା ଖୋଜୁଥିବା ବେଳେ ପୁଣି ଏହି ଚତୁର୍ଥ ବନ୍ୟା ସେମାନଙ୍କୁ ଅଧିକ ଦୁଃଖ ଦୁର୍ଦ୍ଦଶା ଆଡକୁ ଠେଲି ଦେଇଛି।
