ନଦୀର ପ୍ରଖର ସ୍ରୋତରେ ଭାସି ବୃଦ୍ଧ ବାପା ନିଖୋଜପୁଅ ଆଖି ଆଗରେ ଘଟିଲା ଅଘଟଣ; ୬୫ ବର୍ଷୀୟ ଅର୍ଜୁନ ମୁଣ୍ଡାଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀ
କନ୍ଧମାଳ : (ନି.ପ୍ର )୩୦/୯ ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ଜଙ୍ଗଲରୁ କାଠ ଓ କୋଇଲା ସଂଗ୍ରହ କରିବା ପାଇଁ ପୁଅ ସହ ଘରୁ ବାହାରିଥିଲେ ବୃଦ୍ଧ ବାପା। ହେଲେ ଜଙ୍ଗଲକୁ ଯିବା ବାଟରେ ପଡ଼ୁଥିବା ନଦୀ ପାର ହେବା ସମୟରେ ଘଟିଗଲା ଅଘଟଣ। ପୁଅ ଆଖି ଆଗରେ ନଦୀର ପ୍ରଖର ସ୍ରୋତରେ ଭାସିଗଲେ ବାପା। ଏହି ଘଟଣାକୁ ନେଇ ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁଯାୟୀ, ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କଳିସାପଦର ଗ୍ରାମର ୬୫ ବର୍ଷୀୟ ଅର୍ଜୁନ ମୁଣ୍ଡା ଗତକାଲି ନିଜ ପୁଅଙ୍କ ସହ ନିକଟସ୍ଥ ଜଙ୍ଗଲକୁ କାଠ ଓ କୋଇଲା ସଂଗ୍ରହ କରିବା ପାଇଁ ବାହାରିଥିଲେ। ଜଙ୍ଗଲକୁ ଯିବା ରାସ୍ତାରେ ପଡ଼ୁଥିବା ରାହୁଲ ନଦୀ ପାର ହେଉଥିବା ବେଳେ ହଠାତ୍ ନଦୀର ପ୍ରଖର ସ୍ରୋତରେ ଅର୍ଜୁନଙ୍କ ଗୋଡ଼ ଖସିଯାଇଥିଲା।
ଦେଖୁ ଦେଖୁ ନଦୀର ସ୍ରୋତ ତାଙ୍କୁ ଭସାଇ ନେଇଥିଲା। ବାପାଙ୍କୁ ଉଦ୍ଧାର କରିବା ପାଇଁ ପୁଅ ତୁରନ୍ତ ଚେଷ୍ଟା କରିଥିଲେ ମଧ୍ୟ ପ୍ରଖର ସ୍ରୋତ ଯୋଗୁଁ ସଫଳ ହୋଇପାରିନଥିଲେ। କିଛି ସମୟ ମଧ୍ୟରେ ଅର୍ଜୁନ ନଦୀ ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ତୁମୁଡ଼ିବନ୍ଧ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ଉଦ୍ଧାରକାରୀ ଦଳ ନଦୀରେ ପଶି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ତେବେ ଦୀର୍ଘ ସମୟର ସନ୍ଧାନ ସତ୍ତ୍ୱେ ମଧ୍ୟ ଅର୍ଜୁନ ମୁଣ୍ଡାଙ୍କ କୌଣସି ସନ୍ଧାନ ମିଳିନଥିବା ଜଣାପଡ଼ିଛି।ଅର୍ଜୁନଙ୍କ ନିଖୋଜ ଖବର ପ୍ରଚାର ହେବା ପରେ ପରିବାର ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଥିବା ବେଳେ ଗ୍ରାମବାସୀଙ୍କ ମଧ୍ୟରେ ମଧ୍ୟ ଦୁଃଖର ପରିବେଶ ସୃଷ୍ଟି ହୋଇଛି। ନିଖୋଜ ବୃଦ୍ଧଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ପକ୍ଷରୁ ସନ୍ଧାନ ଅଭିଯାନ ଜାରି ରହିଛି।
