ବିଜେପୁରରେ ବ୍ଲକସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
୧୩୩ ଜଣଙ୍କ ପଞ୍ଜୀକରଣ, ୩ ଜଣଙ୍କୁ ଟ୍ରାଇସାଇକେଲ ବଣ୍ଟନ
ବରଗଡ ୨୯/୦୯(ନି ପ୍ର ): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସରକାରୀ ସୁବିଧା ଓ ଅଧିକାର ସମ୍ପର୍କରେ ସଚେତନ କରାଇବା ସହ ସେମାନଙ୍କ ଆବଶ୍ୟକତା ଚିହ୍ନଟ କରି ସହାୟତା ପ୍ରଦାନ କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଜୟକୃଷ୍ଣ ଦଣ୍ଡସେନା ଓ ଏବିଡିଓ ଉମାରାଣୀ ଝାଙ୍କର ଅତିଥି ଭାବେ ଯୋଗଦେଇଥିଲେ। ବ୍ଲକର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟକ ଭିନ୍ନକ୍ଷମ ବ୍ୟକ୍ତି ଓ ସେମାନଙ୍କ ପରିବାରବର୍ଗ ଶିବିରରେ ଯୋଗଦେଇଥିଲେ। ଶିବିରରେ ସମୁଦାୟ ୧୩୩ ଜଣ ହିତାଧିକାରୀ ନିଜ ନାମ ପଞ୍ଜୀକରଣ କରିଥିଲେ।
ଶିବିରରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା, ଭିନ୍ନକ୍ଷମ ପ୍ରମାଣପତ୍ର, ଭତ୍ତା, ଆବଶ୍ୟକୀୟ ସହାୟକ ଉପକରଣ ଓ ଅନ୍ୟାନ୍ୟ ସରକାରୀ ସୁବିଧା ସମ୍ପର୍କରେ ସୂଚନା ଦିଆଯାଇଥିଲା। ଯୋଗ୍ୟ ହିତାଧିକାରୀମାନଙ୍କୁ ସରକାରୀ ଯୋଜନାରେ ସାମିଲ କରି ସେମାନଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ମଧ୍ୟ ପଦକ୍ଷେପ ନିଆଯାଇଥିଲା।
ଏହି ଅବସରରେ ପ୍ରଶାସନ ପକ୍ଷରୁ ୩ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଥିଲା। ଦୂରଦୂରାନ୍ତରୁ ଆସିଥିବା ହିତାଧିକାରୀମାନେ ଗୋଟିଏ ସ୍ଥାନରେ ବିଭିନ୍ନ ସେବା ଓ ସରକାରୀ ସୁବିଧା ସମ୍ପର୍କରେ ଜାଣିବାର ସୁଯୋଗ ପାଇଥିବାରୁ ଶିବିରକୁ ଉପଯୋଗୀ ବୋଲି ପ୍ରକାଶ କରିଥିଲେ।
ବ୍ଲକ ପ୍ରଶାସନ ର ଏହି ପଦକ୍ଷେପକୁ ଉପସ୍ଥିତ ହିତାଧିକାରୀ ଓ ଅଭିଭାବକମାନେ ସ୍ୱାଗତ କରିଥିଲେ। ଶିବିରକୁ ସଫଳ କରିବାରେ ବ୍ଲକ ପ୍ରଶାସନର କର୍ମଚାରୀମାନେ ସହଯୋଗ କରିଥିଲେ।
