ସୋର(ଜ୍ୟୋତି ପ୍ରକାଶ ଦୀକ୍ଷିତ): ପୁଣି ଥରେ ଲକ୍ଷ୍ମୀ ବସ କର୍ମଚାରୀଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି। ସୋର ବ୍ଲକ ପରିସରରେ ଲକ୍ଷ୍ମୀବସର କଣ୍ଡକ୍ଟର ମାନେ ଧାରଣା ଦେଇଛନ୍ତି। ଫଳରେ ବସ ଗୁଡିକ ବନ୍ଦ ହେବାରୁ ସାଧାରଣ ଲୋକେ ଅନେକ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ସୂଚନା ଅନୁସାରେ ସୋର ବ୍ଲକରେ ସମୁଦାୟ ୪ଟି ଲକ୍ଷ୍ମୀ ବସ ଚାଲିଥିବା ବେଳେ ପୂର୍ବରୁ ୧୧ ଜଣ କଣ୍ଡକ୍ଟର କାମ କରୁଥିଲେ। ମାତ୍ର ପରବର୍ତ୍ତୀ ସମୟରେ ୪ ଜଣଙ୍କୁ ବିଭିନ୍ନ କାରଣ ଦର୍ଶାଇ ବାହାର କରାଯାଇଥିବା ବେଳେ ଗତକାଲି ଜଣେ କଣ୍ଡକ୍ଟରଙ୍କୁ ତାଙ୍କ ଉପରିସ୍ଥ ଅଧିକାରୀ ବାହାର କରିଛନ୍ତି। ଏହି ସ୍ଥାନରେ ଅନ୍ୟଜଣେ କଣ୍ଡକ୍ଟରଙ୍କୁ ନିଯୁକ୍ତି ଦେଇଛନ୍ତି। ଫଳରେ ଆଜି ସକାଳେ କାର୍ଯ୍ୟରତ କଣ୍ଡକ୍ଟର ମାନେ ଦୀର୍ଘଦିନ ଧରି କାମ କରୁଥିଲେ ମଧ୍ୟ ନିଯୁକ୍ତି ପତ୍ର ଓ ଗାଇଡ୍ ଲାଇନ ନ ମିଳିବାରୁ ଉପରିସ୍ଥ ଅଧିକାରୀମାନେ ମନମୁଖୀ ଭାବେ ସେମାନଙ୍କୁ ବିନା କାରଣରେ ବାହାର କରୁଛନ୍ତି। ନିଯୁକ୍ତି ପତ୍ର ସାଙ୍ଗକୁ ଗାଇଡ୍ ଲାଇନ ମିଳିଲେ ସେମାନେ ଗାଡିକୁ ଉଠିବେ ବୋଲି ଧାରଣାରେ ବସିରହିଥିବା ଧାରଣାରତ କଣ୍ଡକ୍ଟର ମାନେ କହିଛନ୍ତି। କିଛି ଦିନ ପୂର୍ବରୁ ଟେଣ୍ଟେଇ ପଞ୍ଚାୟତ ଦୟାନିଧିପୁର ଗ୍ରାମରେ ଜଣେ ଲକ୍ଷ୍ମୀ ବସ କଣ୍ଡକ୍ଟରଙ୍କ ବକେୟା ଦରମା ପାଇଁ ନିଜ ପରିବାର ସହ ବସ ଆଗରେ ଧାରଣା ଦେଇଥିଲେ।ଏଣୁ ଲକ୍ଷ୍ମୀ ବସରେ ରହୁଥିବା କର୍ମଚାରୀ ମାନଙ୍କ ଦରମା, ଚାକିରୀ ସୁରକ୍ଷା କେତେ ସୁରକ୍ଷିତ ତାହା ବିଭିନ୍ନ ସମୟରେ ଲକ୍ଷ୍ମୀ ବସର କଣ୍ଡକ୍ଟରଙ୍କ ସହ ଅନ୍ୟ କର୍ମଚାରୀଙ୍କ ଦ୍ୱାରା ହେଉଥିବା ଧାରଣାରୁ ଚାକିରୀ ଦେଉଥିବା ସଂସ୍ଥାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।ଶେଷ ଖବର ଲେଖା ହେଲା ବେଳକୁ ଧାରଣା ସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ଆସି ନ ଥିଲେ ଏବଂ ଧାରଣା ଚାଲୁ ରହିଥିଲା।