ମହିଳାଙ୍କ ବେକରୁ ସୁନା ଚେନ ଲୁଟିବା ସମୟରେ ଧରା ହେଲେ ଦୁଇ ଦୁର୍ବୃତ୍ତ
ସୋର, ୨୨/୯(ନିପ୍ର, ଭଞ୍ଜଦୂତ ଜ୍ୟୋତିପ୍ରକାଶ ଦୀକ୍ଷିତ)- ଦୁଇ ଜଣ ଦୁର୍ବୃତ୍ତ ଜଣେ ମହିଳାଙ୍କ ବେକରୁ ସୁନାଚେନ୍ ଝାମ୍ପି ନେଇ ପଳାଉଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ କାବୁ କରି ନିସ୍ତୁକ ଊତ୍ତମ ମଧ୍ୟମ ଦେଇ ପୁଲିସରେ ଜିମା ଦେଇଛନ୍ତି। ସୂଚନା ଅନୁସାରେ ଗତକାଲି ରାତିରେ ମାଣତ୍ରୀ ପଞ୍ଚାୟତ ଅନ୍ତର୍ଗତ ଦହିପୁର ଗ୍ରାମର ରୋହିତ କୁମାର ବେହେରା ଓ ପତ୍ନୀ ବର୍ଷାରାଣୀ ବେହେରା ଏକ ବାଇକରେ ବସି ସୋର ଆସୁଥିଲେ । ଏହି ସମୟରେ ଦହିପୁର ନିକଟସ୍ଥ ଶନି ମନ୍ଦିର ଠାରେ ଏକ କଳା ରଙ୍ଗର ନମ୍ବର ବିହୀନ ପଲସର ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ବର୍ଷାରାଣୀଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଥିଲେ । ଏହା ଦେଖି ରୋହିତ ଏବଂ ବର୍ଷା ସେମାନଙ୍କ ପିଛା କରିବା ସହିତ, ସମ୍ପର୍କୀୟଙ୍କୁ ଫୋନରେ ଜଣେଇଥିଲେ । ଲୋକମାନେ ତାଙ୍କ ପିଛା କରୁଥିବା ଜାଣିପାରି ଦ୍ରୁତ୍ ଗତିରେ ଫେରାର ହେଉଥିବା ବେଳେ ଉଉରେଶ୍ୱର ଭଦ୍ରକ ଯିବା ବସ୍ ଷ୍ଟାଣ୍ଡ ନିକଟରେ ଭାରସାମ୍ୟ ହରାଇ ପଡ଼ିଯାଇ ଥିଲେ। ଏହା ଦେଖି ସ୍ଥାନୀୟ ଲୋକ ଏବଂ ରୋହିତ ସେମାନଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରି ପୋଲିସକୁ ହସ୍ତାନ୍ତର କରିଥିଲେ। ଅଭିଯୋଗ ମୂଳେ ପୋଲିସ ତଦନ୍ତ ଆରମ୍ଭ କରି ପିପିଲି ବୀର ପୁରୁଷୋତ୍ତମପୁର ଗ୍ରାମର ରାଜା ଶିକାରୀ ଏବଂ ଯାଜପୁର ଯଖପୁରାର ଦୀପୁ ପ୍ରଧାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।
