ଗଜପତିରେ SIR-୨୦୨୬ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲାରେ ସ୍ଵତନ୍ତ୍ର ସଘନ ସଂଶୋଧନ-୨୦୨୬ ଅଧୀନରେ ପ୍ରସ୍ତୁତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ପ୍ରକାଶ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ମୁନିଦ୍ର ହୋନନାଗା ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ନିର୍ବାଚନ ବିଭାଗ ଶ୍ରୀ ଅମିତ ବିଶ୍ୱାଳ, ଡେପୁଟି କଲେକ୍ଟର ପାରଳାଖେମୁଣ୍ଡି ଶ୍ରୀ କ୍ରୀତି ସାଇ ଶୁକ୍ଲା,ଜିଲ୍ଲାର ସମସ୍ତ ରାଜନୈତିକ ଦଳର ଜନ ପ୍ରତିନିଧି ଓ ଗଣମାଧ୍ଯମ ପ୍ରତିନିଧି ଗଣ ଉପସ୍ଥିତ ଥିଲେ।
ଗଜପତି ଜିଲ୍ଲାରେ ୨ ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀ, ଯଥା ୧୩୬- ମୋହନା(ସଂରକ୍ଷିତ) ଓ ୧୩୭-ପାରଳାଖେମୁଣ୍ଡି ରହିଛି। ଏହି ସଂଶୋଧନ ପାଇଁ ୦୧.୦୭.୨୦୨୬ କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇଥିଲା। ସଂଶୋଧନ ପ୍ରକ୍ରିୟା ସମୟରେ ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ଭୋଟରଙ୍କ ତଥ୍ୟ ଯାଞ୍ଚ ଓ ସତ୍ୟାପନ କରିଥିଲେ। ୦୫.୦୭.୨୦୨୬ରେ ଖସଡ଼ା ଭୋଟର ତାଲିକା ପ୍ରକାଶ କରାଯିବା ପରେ ଦାବି ଓ ଆପତ୍ତି ଗ୍ରହଣ କରାଯାଇଥିଲା ଏବଂ ନିର୍ଦ୍ଧାରିତ ପ୍ରକ୍ରିୟାରେ ସେଗୁଡ଼ିକର ନିଷ୍ପତ୍ତି ନିଆଯାଇଛି।
ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ ୧୩୬- ମୋହନା(ସଂରକ୍ଷିତ) ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟରଙ୍କ ସଂଖ୍ୟା ମୋଟ -୨୩୨୬୬୨ ସେଥିମଧ୍ୟରୁ ପୁରୁଷ ସଂଖ୍ୟା -୧୧୪୩୭୪, ମହିଳା ସଂଖ୍ୟା- ୧୧୮୨୮୪ ଓ ତୃତୀୟ ଲିଙ୍ଗ ୪ ଜଣ ରହିଛନ୍ତି।
୧୩୭-ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ସଂଖ୍ୟା- ୨୦୧୨୯୦ ସେଥି ମଧ୍ୟରୁ ପୁରୁଷ ସଂଖ୍ୟା ୧୦୦୦୦୪, ମହିଳା ସଂଖ୍ୟା ୧୦୧୨୭୩ ଓ ତୃତୀୟ ଲିଙ୍ଗ ୧୩ ଜଣ ରହିଛନ୍ତି।
ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ଅଧୀନରେ ଚୂଡ଼ାନ୍ତ ଭୋଟର ତାଲିକା ମୋଟ – ୪୩୩୯୫୨ ,ସେଥିମଧ୍ୟରୁ ପୁରୁଷ ସଂଖ୍ୟା- ୨୧୪୩୭୮, ମହିଳା ସଂଖ୍ୟା ୨୧୯୫୫୭ ଓ ତୃତୀୟ ଲିଙ୍ଗ ୧୭ ଜଣ ରହିଛନ୍ତି।
ଏହି ସଂଶୋଧନ ପ୍ରକ୍ରିୟା ସମୟରେ ଗଜପତି ଜିଲ୍ଲାର ଖସଡ଼ା ଭୋଟର ତାଲିକାରେ ମୋଟ ୪,୩୨,୦୯୮ ଜଣ ଭୋଟର ଥିବାବେଳେ, ଚୂଡ଼ାନ୍ତ ଭୋଟର ତାଲିକାରେ ଏହି ସଂଖ୍ୟା ୪,୩୩,୯୫୨ ଜଣକୁ ବୃଦ୍ଧି ପାଇଛି।
ଯାଞ୍ଚ ସମୟରେ ମୃତ୍ୟୁ, ସ୍ଥାନାନ୍ତରଣ, ଅନୁପସ୍ଥିତ/ଠାବ ହୋଇନଥିବା, ପୂର୍ବରୁ ପଞ୍ଜୀକୃତ ହୋଇଥିବା ଓ ଅନ୍ୟାନ୍ୟ କାରଣରୁ ଭୋଟର ତାଲିକାରେ ରଖିବା ଯୋଗ୍ୟ ନଥିବା ନାମଗୁଡ଼ିକୁ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସରଣ କରି ବାଦ ଦିଆଯାଇଛି। ଏହି କ୍ରମରେ ମୋଟ ୩୧,୫୨୦ଟି ଅସଂଗୃହୀତ ଫର୍ମ ଯାଞ୍ଚ ପରେ ତାଲିକାରୁ ବାଦ ଦିଆଯାଇଛି। ଏଥିମଧ୍ୟରୁ ୧୩୬-ମୋହନା ନିର୍ବାଚନମଣ୍ଡଳୀର ୧୪,୭୧୩ଟି ଏବଂ ୧୩୭-ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀର ୧୬,୮୦୭ଟି ଫର୍ମ ରହିଛି।
ଜିଲ୍ଲାରେ ଯୁବ ଯୁବତୀଙ୍କୁ ପ୍ରଥମ ଥର ପାଇଁ ଭୋଟର ଓ ମହିଳାଙ୍କ ନାମ ପଞ୍ଜୀକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। SVEEP କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଭୋଟର ସଚେତନତା ଓ ପଞ୍ଜୀକରଣ କାର୍ଯ୍ୟକ୍ରମ କରାଯାଇଛି। ଏଥିସହିତ ଭୋଟରଙ୍କ ସୁବିଧା ପାଇଁ ବିଭିନ୍ନ ଗ୍ରାମ ପଞ୍ଚାୟତ ସ୍ତରରେ ଜନଶୁଣାଣି ମଧ୍ୟ ଆୟୋଜନ କରାଯାଇଥିଲା।
ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ନାଗରିକଙ୍କୁ ଚୂଡ଼ାନ୍ତ ଭୋଟର ତାଲିକାରେ ନିଜ ନାମ ଓ ତଥ୍ୟ ଯାଞ୍ଚ କରିବାକୁ ଅନୁରୋଧ କରାଯାଇଛି। ଯୋଗ୍ୟ ନାଗରିକମାନେ, ବିଶେଷକରି ଯୁବକ, ଯୁବତୀ ଓ ମହିଳାମାନେ ନାମ ପଞ୍ଜୀକରଣ କରି ଭୋଟର ତାଲିକାକୁ ସଠିକ୍, ସମ୍ପୂର୍ଣ୍ଣ ଓ ଅନ୍ତର୍ଭୁକ୍ତିମୂଳକ କରିବାରେ ସହଯୋଗ କରିବାକୁ ଆହ୍ବାନ କରାଯାଇଛି।
