ସେବା ସଂକଳ୍ପ ଅଭିଯାନ–୨୦୨୬ ଅବସରରେ ଦିବ୍ୟାଙ୍ଗମାନଙ୍କ ସଚେତନତା ସମ୍ମିଳନୀ
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ରାୟଗଡ଼: ସେବା ସଂକଳ୍ପ ଅଭିଯାନ–୨୦୨୬ ଅବସରରେ କାଶୀପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ନେଇ ଏକ ସଚେତନତା ସମ୍ମିଳନୀ ତଥା ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାଶୀପୁର ଅଞ୍ଚଳର ୨୦୦ରୁ ଅଧିକ ଦିବ୍ୟାଙ୍ଗ ବ୍ୟକ୍ତି ଏଥିରେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗମାନଙ୍କ ଅଧିକାର, ସରକାରୀ ସୁବିଧା ଓ ବିଭିନ୍ନ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି ସହ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଧିକାର ଆଇନ (RPwD Act), ୨୦୧୬ରେ ଥିବା ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହାସହ ନିଶା ଓ ମଦ୍ୟପାନରୁ ଦୂରେଇ ରହିବା ଏବଂ ସୁସ୍ଥ ଓ ସଚେତନ ସମାଜ ଗଠନରେ ସହଭାଗୀ ହେବା ପାଇଁ ଉପସ୍ଥିତ ସମସ୍ତେ ଶପଥ ଗ୍ରହଣ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ରନାଥ କହଁର ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ଶପଥ ପାଠ କରାଇଥିଲେ।ସେବା ସଂକଳ୍ପ ଅଭିଯାନର ମୂଳ ଲକ୍ଷ୍ୟ ଅନୁଯାୟୀ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସେବା, ସହଯୋଗ ଓ ସଚେତନତାମୂଳକ କାର୍ଯ୍ୟକୁ ଆଗେଇ ନେବା ପାଇଁ ଉପସ୍ଥିତ ସମସ୍ତେ ସଂକଳ୍ପ ନେଇଥିଲେ।
ଏହି କାର୍ଯ୍ୟକ୍ରମରେ ଏସ୍.ଏସ୍.ଏସ୍.ଓ. ଶ୍ରୀକାନ୍ତ ପାଣିଗ୍ରାହୀ, କାଶୀପୁର ବି.ଏସ୍.ଏସ୍.ଓ., ବି.ଡି.ଓ., ‘ସକ୍ଷମ’ର ସଂରକ୍ଷକ ଡ. ବାଦଲ କୁମାର ତା, ଓଡ଼ିଶା ବିକଳାଙ୍ଗ ମଞ୍ଚ (ଓବିଏମ୍)ର ଜିଲ୍ଲା ସଭାପତି, ଉପସଭାପତି ଓ ସମ୍ପାଦକ, ଓଡ଼ିଶା ଆଦିବାସୀ ମଞ୍ଚର ରାଜ୍ୟ ଆବାହିକା ତଥା ଦକ୍ଷିଣ ଓଡ଼ିଶା ଉନ୍ନୟନ ଓ ସୁରକ୍ଷା ପରିଷଦର ଜିଲ୍ଲା ସଭାପତି ଶ୍ରୀମତୀ ବିଦୁଲତା ହୁଇକା, ସାଂସଦ ଓ ବିଧାୟକଙ୍କ ପ୍ରତିନିଧି, ବ୍ଲକ୍ ଅଧ୍ୟକ୍ଷ ଶ୍ରୀ କଣ୍ଠ ମାଝୀ, ଦିବ୍ୟାଙ୍ଗ ମିତ୍ର ଶ୍ରୀ ଶିବରାମ ନାୟକଙ୍କ ସମେତ ଦୋରାଗୁଡ଼ାସ୍ଥିତ ଉତ୍କଳ ଆଲୁମିନା ଓ କଂସାରିଗୁଡ଼ାସ୍ଥିତ ବିରଳା କମ୍ପାନୀର ପ୍ରତିନିଧି ଏବଂ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧିମାନେ ଯୋଗଦେଇଥିଲେ।
ଉପସ୍ଥିତ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ଅଧିକାର ସୁରକ୍ଷା, ସାମାଜିକ ସମାବେଶ ଓ ସ୍ୱାବଲମ୍ବନ ଉପରେ ଗୁରୁତ୍ୱାରୋପ କରି ସେମାନଙ୍କୁ ଉତ୍ସାହିତ କରିଥିଲେ।
