ମୋବାଇଲ୍ ଝଗଡ଼ାରୁ ପ୍ରତିଶୋଧ, ସ୍କୁଲ ହଷ୍ଟେଲରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା ଉଦ୍ୟମ!
ପାଣି ବୋତଲରେ ମିଶାଇ ଦେଲେ ମଶା ଧୂପର ତରଳ ବିଷ
ବାରିପଦା : ବାରିପଦା ସହରର ଏକ ପ୍ରତିଷ୍ଠିତ ବେସରକାରୀ ବିଦ୍ୟାଳୟ ‘ଏସଭିଏମ ଇଣ୍ଟରନ୍ୟାସନାଲ ସ୍କୁଲ’ ହଷ୍ଟେଲ ପରିସରରେ ଘଟିଯାଇଛି ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଚାଞ୍ଚଲ୍ୟକର ଘଟଣା। ସ୍କୁଲରେ ପଢୁଥିବା ସପ୍ତମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଜୀବନରୁ ମାରିଦେବା ପାଇଁ ହତ୍ୟା ଉଦ୍ୟମ କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ପାଣି ବୋତଲରେ ମଶା ଘଉଡ଼ାଇବା ପାଇଁ ବ୍ୟବହୃତ ବିଷାକ୍ତ ତରଳ ପଦାର୍ଥ ଅଲ୍-ଆଉଟ୍ ଲିକ୍ୱିଡ୍ ମିଶାଇ ତାଙ୍କୁ ପିଇବାକୁ ଦିଆଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଛାତ୍ରୀଜଣକ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାର ଆଇସିୟୁ ରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ଏହି ଘଟଣାକୁ ନେଇ ଛାତ୍ରୀଙ୍କ ପିତାମାତା ବାରିପଦା ଭଞ୍ଜପୁର ଥାନାରେ ହତ୍ୟା ଉଦ୍ୟମ ନେଇ ଏତଲା ଦାୟର କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସ୍କୁଲ ହଷ୍ଟେଲରେ ରହୁଥିବା ସପ୍ତମ ଶ୍ରେଣୀ ଛାତ୍ରୀ ସଂସ୍କୃତି ସେନାପତି ହଷ୍ଟେଲ ରୁମ୍ରେ ଥିବା ପାଣି ବୋତଲରୁ ପାଣି ପିଇଥିଲେ। ବୋତଲରେ ପୂର୍ବରୁ କେହି ଦୁର୍ବୃତ୍ତ ଅତ୍ୟନ୍ତ ବିଷାକ୍ତ ‘ଅଲ୍-ଆଉଟ୍’ ତରଳ ପଦାର୍ଥ ମିଶାଇ ଦେଇଥିଲା। ଅଜାଣତରେ ସଂସ୍କୃତି ଦୁଇ ଢୋକ ପିଇବା ପରେ ତାର ସ୍ୱାଦ ଓ ଗନ୍ଧ ଅସ୍ୱାଭାବିକ ଲାଗିବାରୁ ଚିତ୍କାର କରିଥିଲେ। ଖୁବ୍ ଶୀଘ୍ର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ହଷ୍ଟେଲ ୱାର୍ଡେନ ଓ ସ୍କୁଲ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ତୁରନ୍ତ ବାରିପଦା ପିଆରଏମ ହସ୍ପିଟାଲ କୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ୨୪ ରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ଗଭୀର ପର୍ଯ୍ୟବେକ୍ଷଣରେ ରଖିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଝିଅର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏବଂ ସ୍ଥାନୀୟ ସ୍ୱାସ୍ଥ୍ୟସେବା ଉପରେ ଭରସା ନପାଇ ପରିବାର ଲୋକେ ତାଙ୍କୁ ତୁରନ୍ତ ଭୁବନେଶ୍ୱରର କିମ୍ସ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ଆଇସିୟୁରେ ଭର୍ତ୍ତି କରି ଅତି ଗୁରୁତର ଭାବେ ଚିକିତ୍ସା ଜାରି ରଖିଛନ୍ତି। ଅଭିଭାବକଙ୍କ କହିବା ଅନୁସାରେ, ଏହା କୌଣସି ସାଧାରଣ ଦୁର୍ଘଟଣା ନୁହେଁ, ବରଂ ଏକ ସୁଚିନ୍ତିତ ହତ୍ୟା ଉଦ୍ୟମ। କିଛି ଦିନ ତଳେ ହଷ୍ଟେଲରେ ମୋବାଇଲ୍ ବ୍ୟବହାରକୁ କେନ୍ଦ୍ର କରି ଅନ୍ୟ ଜଣେ ଛାତ୍ରୀଙ୍କ ସହିତ ସଂସ୍କୃତିଙ୍କର ଝଗଡ଼ା ହୋଇଥିଲା। ଏପରିକି ଛାତ୍ରୀଜଣକ ସିଧାସଳଖ ସେହି ଛାତ୍ରୀଙ୍କ ନାମ ନେଇ ସେ ହିଁ ବୋତଲରେ ବିଷ ମିଶାଇଥିବା ଅଭିଯୋଗ କରିଛନ୍ତି। ପୂର୍ବ ଶତ୍ରୁତା ଓ ପ୍ରତିଶୋଧ ପରାୟଣ ହୋଇ ଏଭଳି କାଣ୍ଡ ଘଟାଯାଇଥିବା ସନ୍ଦେହ କରାଯାଉଛି। ଏତେ ବଡ଼ ଏକ ଆବାସିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ସୁରକ୍ଷା କିଭଳି ରହିଛି, ତାହା ଉପରେ ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଛାତ୍ରୀମାନଙ୍କ ମଧ୍ୟରେ ଏତେ ବଡ଼ ବିବାଦ ଘଟିବା ସତ୍ତ୍ୱେ ହଷ୍ଟେଲ ୱାର୍ଡେନ ଏହାର ସମାଧାନ କାହିଁକି କଲେ ନାହିଁ? ୱାର୍ଡେନଙ୍କ ଅଜାଣତରେ ହଷ୍ଟେଲ ରୁମ୍ ଭିତରକୁ ଏଭଳି ବିଷାକ୍ତ କୀଟନାଶକ କିପରି ଆସିଲା? ଘଟଣା ପରେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଘଟଣାକୁ ହାଲୁକା ଭାବେ ନେଉଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସ୍କୁଲର ଅଧ୍ୟକ୍ଷା ବୈଜୟନ୍ତୀ ପଣ୍ଡା କହିଛନ୍ତି ରାତି ପ୍ରାୟ ୯ଟାରେ ଘଟଣା ସମ୍ପର୍କରେ ଖବର ପାଇବା କ୍ଷଣି ଆମର ଏକାଡେମିକ୍ ହେଡ୍, ହଷ୍ଟେଲ ଇନଚାର୍ଜ ଓ ସିଇଓ ତୁରନ୍ତ ପହଞ୍ଚି ପିଲାଟିକୁ ଡାକ୍ତରଖାନା ନେଇଥିଲେ ଏବଂ ପରିବାରକୁ ଜଣାଇଥିଲେ। ରୁମ୍ରେ ଥିବା ଅନ୍ୟ ୪ ଜଣ ଛାତ୍ରୀ ଓ ୱାର୍ଡେନଙ୍କୁ ପଚରାଉଚରା କରାଯାଉଛି। କିନ୍ତୁ କିଏ ଏହି ତରଳ ପଦାର୍ଥ ମିଶାଇଲା, ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପ୍ରମାଣ ମିଳିନାହିଁ। ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ ସଂସ୍କୃତି ଶୀଘ୍ର ସୁସ୍ଥ ହୋଇ ଫେରିଆସୁ। ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗୋଟିଏ ପଟେ ମେଡିକାଲ ବେଡ୍ରେ ନିଷ୍ପାପ ନାବାଳିକା ଛାତ୍ରୀ ଜୀବନ ପାଇଁ ଲଢ଼ୁଥିବା ବେଳେ ଅନ୍ୟପଟେ କାନ୍ଦି କାନ୍ଦି ନ୍ୟାୟ ଭିକ୍ଷା କରୁଛନ୍ତି ଅସହାୟ ପିତାମାତା। ଅଭିଭାବକଙ୍କ ଲିଖିତ ଅଭିଯୋଗ ଆଧାରରେ ଭାଞ୍ଜପୁର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସ୍କୁଲର ସିସିଟିଭି ଫୁଟେଜ୍, ହଷ୍ଟେଲ ରେକର୍ଡ ଏବଂ ସମ୍ପୃକ୍ତ ଛାତ୍ରୀମାନଙ୍କୁ ପଚରାଉଚରା କରି ସତ୍ୟାସତ୍ୟ ଉନ୍ମୋଚନ କରିବା ସହ ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରିବାକୁ ସାଧାରଣରେ ଦୃଢ଼ ଦାବି ହେଉଛି। ମୟୂରଭଞ୍ଜରୁ ମୋନାଲୀ ସାହୁଙ୍କ ସହ ସୁନୀଲ ମହାପାତ୍ରଙ୍କ ରିପୋର୍ଟ ଭଞ୍ଜଦୂତ ଖବର
