ପୋଟଳ ବୋଝେଇ ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ , ଚାଳକ ମୃତ୍ୟୁ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ପୋଟଳ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ। ଚାଳକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ। ସୂଚନାଯୋଗ୍ୟ ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଚଡ଼କମରା ପୋଲ ନିକଟରେ ଏକ ପୋଟଳ ବୋଝେଇ ମିନି ଟ୍ରକ୍ ଅଜଣା ଗାଡ଼ିକୁ ପଛରୁ ଧକ୍କା ଦେବାରୁ ପୋଟଳ ବୋଝେଇ ଟ୍ରକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପଶ୍ଚିମବଙ୍ଗ ରାଜ୍ୟର ମାଲଦା ଜିଲ୍ଲା ଗାଜଲ ଥାନା ଅଧୀନ ଅଲ୍ଲୀପୁରର ମହମ୍ମଦ ଅବଜାଲ ହୁସେନ (୩୮)। ସୂଚନା ଅନୁସାରେ, ଆଜି ଭୋର୍ ସମୟରେ ଡବ୍ଲୁ ବି -୬୫-ଜେ-୯୨୧୬ ନମ୍ବରର ମିନି ଟ୍ରକ୍ଟି ପୋଟଳ ବୋଝେଇ କରି ପଶ୍ଚିମବଙ୍ଗରୁ ଭୁବନେଶ୍ଵର ଅଭିମୁଖେ ଯାଉଥିଲା। ଚଡ଼କମରା ପୋଲ ନିକଟରେ ରାସ୍ତାରେ ଠିଆ ହୋଇଥିବା ଏକ ଅଜଣା ଗାଡ଼ିକୁ ଏହା ପଛରୁ ଧକ୍କା ଦେଇଥିଲା | ଦୁର୍ଘଟଣା ପରେ ଅଜଣା ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଧକ୍କା ଯୋଗୁଁ ପୋଟଳ ବୋଝେଇ ଟ୍ରକ୍ର ସାମ୍ନାପଟ ଭାଙ୍ଗି ଯାଇଥିବା ବେଳେ ଚାଳକ ଅବଜାଲ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଖବର ପାଇ ଜାତୀୟ ରାଜପଥ ପାଟ୍ରୋଲିଂ ପୁଲିସ ଓ ସୋର ପୁଲିସ ପହଞ୍ଚି ତାଙ୍କୁ ମୃତ ଦେହକୁ ସୋର ଡାକ୍ତରଖାନା କୁ ଆଣିଥିଲେ। ପୁଲିସ ଟ୍ରକ୍ଟିକୁ ଜବତ କରି ମାମଲା ରୁଜୁ କରିବା ସହ ଅଜଣା ଗାଡ଼ିର ସନ୍ଧାନ ଓ ଦୁର୍ଘଟଣାର କାରଣ ନେଇ ତଦନ୍ତ ଜାରି ରଖିଛି।
