ଜଗତସିଂହପୁର ଶିଶୁ ଆଶ୍ରମ ଏବେ କେତେ ସୁରକ୍ଷିତ ! ଦଲାଲ ମାନଙ୍କ କବଜାରେ କି ??
ଜଗତସିଂହପୁର(ନି.ପ୍ର): ଜଗସତସିଂହପୁର ଜିଲ୍ଲା ରେ ଅସହାୟ, ଅବହେଳିତ, ଗରିବ, ନିଷ୍ପେସିତ ଓ ଅନାଥ ପିଲା ମାନଙ୍କ ପାଇଁ ଭୁସ୍ୱର୍ଗ ପାଲଟିଥିବା ଶିଶୁ ଆଶ୍ରମ ଟି ଆଜି କିଛି ଚକ୍ରାନ୍ତ କାରୀଙ୍କ ଆଡାସ୍ଥଳୀ ପାଲଟି ଯାଇଛି l ବେଶ ସୁରକ୍ଷିତ ଆଶ୍ରୟ ସ୍ଥଳ ଓ ଆଦର୍ଶ ଆବାସିକ କେନ୍ଦ୍ର ପାଲଟି ଥିବା ଶିଶୁ ଆଶ୍ରମ ଟି ଏବେ ତାର ଗୌରବ ହରାଇ ବସିଛି। ୧୯୭୭ ମସିହାରୁ ଡ଼କ୍ଟର ଶଶୀକାନ୍ତ ଆଚାର୍ଯ୍ୟ ନିଜେ ଗଢ଼ିଥିବା ଏହି ଆଶ୍ରମ ଟି ଅନେକ ଭଲ ନାଗରିକ ମାନଙ୍କୁ ଗଢ଼ିଥିଵା ବେଳେ ଫ୍ରାନ୍ସ ର ସ୍ୱେଚ୍ଛାସେବୀ ଅନୁଷ୍ଠାନ (ଇ ଇ ଡି ଏମ୍) ନିରନ୍ତର ଆର୍ଥିକ ସହଯୋଗ ଯୋଗୁଁ ଅନୁଷ୍ଠାନ ଅନେକ ସଫଳତା ପାଇଥିଲା l ସେତେବେଳେ ଯେଉଁ କର୍ମଚାରୀ ଏହି ଅନୁଷ୍ଠାନର ଭଲ ମନ୍ଦ ବୁଝୁଥିଲେ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ଦେଖାଯାଉ ନଥିଲା ସେମାନଙ୍କ ଭାବନା, ହୃଦୟ, ଚେଷ୍ଟା ଓ ତ୍ୟାଗପୂତ ମନ ବଡ଼ ଥିଲା। ସମୟ ସାଙ୍ଗକୁ ସରକାରଙ୍କ ନିୟମ ବଦଳିବାରୁ ୨୦୧୮ ବେଳକୁ ସରକାର ଆଶ୍ରମଟିକୁ ନିଜ ଅକ୍ତିଆରକୁ ଆଣିଥିଲେ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂତନ କର୍ମଚାରୀ ନିଯୁକ୍ତ କରାଯାଇଥିଲା । ଏହି ଅନୁଷ୍ଠାନରେ ଉଚ୍ଚଶିକ୍ଷା ଲାଭ କରିଥିବା ବଡ଼ ବଡ଼ ଅଧିକାରୀଙ୍କୁ ଙ୍କୁ ଏଠି ଚାକିରୀ ମିଳିଥିଲା ବେଳେ ପୁରୁଣା ଅଭିଜ୍ଞ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ହତାଦାର ଓ ଅଣଦେଖା କରି କୋଣଠେସା କରାଗଲା l ଯାହାଦ୍ୱାରା ସେମାନେ ନିଜ ଦୁଃଖକୁ ଚାପି, ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିନା ପ୍ରତିବାଦ ରେ ଆଶ୍ରମ ଛାଡ଼ି ଚାଲିଯିବାକୁ ବାଧ୍ୟହେଲେ। ବର୍ତ୍ତମାନ ଏହି ଆଶ୍ରମ ଟି ନିଜର ସତ୍ତା ହରାଇ ଏକ ନିର୍ଦିଷ୍ଟ ରାଜନୈତିକ ଦଳର ଅନୌପଚାରିକ ଅଫିସ୍ ପାଲଟିଯାଇଛି । ଏଠାରେ ନାନା ସମୟରେ ସରକାରୀ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହେଲା କିନ୍ତୁ ପିଲାଙ୍କୁ ଗ୍ରିଲ୍ ବନ୍ଦ୍ କୋଠରୀ ମଧ୍ୟରେ ଚିଡ଼ିଆ ଖାନା ପଶୁଙ୍କ ଭଳି ସୀମିତ ରଖାଗଲା। ଅନୁଷ୍ଠାନ ଟି ଶ୍ରୀହୀନ ହରାଇ ଧୀରେ ଧୀରେ ମଳିନ ପଡ଼ିଗଲାଣି । ଆଶ୍ରମ ମଧ୍ୟକୁ ପୂର୍ବତନ ଛାତ୍ର ଛାତ୍ରୀଙ୍କୁ ପ୍ରବେଶ କରାଇବାକୁ ବି ଦିଆଯାଉ ନାହିଁ। ଆଶ୍ରମ ଭିତରେ କଣ ଘଟୁଛି ଓ କାହା ଇଙ୍ଗିତରେ ଚାଲୁଛି ତାହା ଜାଣିବାକୁ କାହା କୁ ସୁଯୋଗ ଦିଆଯାଉ ନାହିଁ। ତେଣୁ
ପିଲା ମାନେ ଏଠି କେତେ ସୁରକ୍ଷିତ, ସେମାନଙ୍କ ଶୈଶବ ଠିକ୍ ଭାବେ କଟୁଛି କି ନାହିଁ, ସେମାନଙ୍କ ମାନସିକ ଅବସ୍ଥା ଠିକ୍ ଅଛି କି ନାହିଁ , ସେମାନଂକୁ ଉପଯୁକ୍ତ ଖାଦ୍ୟପେୟ , ସ୍ୱାସ୍ଥ୍ୟସେବା ମିଳୁଛି କି ନାହିଁ ,ଏହାର ଦେଖାଶୁଣା କରୁଥିବା କମିଟି ସଭ୍ୟ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶିଶୁ ମଙ୍ଗଳ ସଦସ୍ୟ ତଥା ଜିଲ୍ଲା ପ୍ରଶାସନ କେତେ ସତର୍କ ଏହା ହିଁ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି l ସେପ୍ଟେମ୍ୱର ୧୧ ତାରିଖ ରେ ଏକ ଏଗାର ବର୍ଷୀୟ ନାବାଳିକା ର ଦୁଃଖଦ ଓ ଅକାଳ ମୃତ୍ୟୁ ଅନେକ ପ୍ରଶ୍ନ ଆଣି ଠିଆ କରାଉଛି। ଏହି ମୃତ୍ୟୁ ଘଟଣାର ଏକ ନିରପେକ୍ଷ ତଦନ୍ତ କରାଇବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି ।
