*ଢେଙ୍କାନାଳ ଗସ୍ତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର-ତଥା-ସଚିବ* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )ଢେଙ୍କାନାଳ, ୧୧ ସେପ୍ଟେମ୍ବର ୨୦୨୬:
ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ସଚିବ ସୁଶ୍ରୀ ଅସ୍ୱଥୀ ଏସ୍.ଙ୍କ ନେତୃତ୍ୱରେ ୧୬ ଜଣିଆ ସ୍ୱାସ୍ଥ୍ୟ ବିଭାଗୀୟ ଟିମ୍ ଆଜି ଢେଙ୍କାନାଳ ଜିଲ୍ଲା ଗସ୍ତ କରି ବିଭିନ୍ନ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ, ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ସମ୍ପର୍କିତ ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ।ଏହି କ୍ଷେତ୍ର ପରିଦର୍ଶନଗୁଡ଼ିକ ସମାପ୍ତ ହେବା ପରେ, ଢେଙ୍କାନାଳ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ସଂକ୍ରମଣ ନିରୋଧ ଓ ନିୟନ୍ତ୍ରଣ (Infection Prevention and Control) ବ୍ୟବସ୍ଥା ତଥା ଏ ସମ୍ପର୍କିତ ବିଭିନ୍ନ ପଦକ୍ଷେପ ଉପରେ ମୁଖ୍ୟତଃ ସମୀକ୍ଷା କରାଯାଇଥିଲା। ମାତୃ ଓ ଶିଶୁ ପ୍ରସୂତୀ କକ୍ଷ ଓ ଅପରେସନ୍ ଥିଏଟରର ମାନ ବୃଦ୍ଧି, ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ (PMSMA) ଓ ମମତା ଦିବସର ଉନ୍ନତୀକରଣ ତଥା ବିପଦସଙ୍କୁଳ ଗର୍ଭବତୀ ମହିଳାଙ୍କ ନିୟମିତ ପରୀକ୍ଷା ଏବଂ ପ୍ରସବପୂର୍ବ ପରାମର୍ଶ ଉପରେ ଗୁରୁତ୍ୱ ଦିଆଯାଇଛି l
ମେସିନ୍ର ଉପଯୁକ୍ତ ବ୍ୟବହାର, ରେକର୍ଡ/ରେଜିଷ୍ଟରର ସଠିକ୍ ରକ୍ଷଣାବେକ୍ଷଣ, ହାଇବ୍ରିଡ୍ ICU ପରିଚାଳନା ଏବଂ ଏସ୍.ସି.ବି. (SCB) ମେଡିକାଲକୁ ରେଫର୍ ହେଉଥିବା ରୋଗୀଙ୍କ ନିୟମିତ ଅଡିଟ୍ ଉପରେ ଗୁରୁତ୍ୱ, ଅମ୍ଳାନ’ (AMLAN)ସାଧାରଣ ଓ ଆବାସିକ ବିଦ୍ୟାଳୟରେ ଏହାର ସଫଳ ରୂପାୟନ ଏବଂ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକତା ଅନୁଯାୟୀ ଲୌହସାର ବଟିକା (IFA) ପ୍ରଦାନ।
ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପାଇଁ ନିୟମିତ କ୍ଷେତ୍ର ପରିଦର୍ଶନ ଓ ସେକ୍ଟର ବୈଠକ ବାଧ୍ୟତାମୂଳକ; କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ।
ଜିଲ୍ଲା ଗସ୍ତର ଅଂଶ ଭାବେ ସୁଶ୍ରୀ ଅସ୍ୱଥୀ ଏସ୍. ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ସେ ଚିକିତ୍ସାଳୟର ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ସେଠାରେ ରୋଗୀମାନଙ୍କୁ ଯୋଗାଇ ଦିଆଯାଉଥିବା ସ୍ୱାସ୍ଥ୍ୟସେବା ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିଥିଲେ। ସେ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରି ଚିକିତ୍ସାଳୟର ବିଭିନ୍ନ ବିଭାଗର କାର୍ଯ୍ୟପ୍ରଣାଳୀ ଓ ସ୍ୱାସ୍ଥ୍ୟସେବା ପ୍ରଦାନର ବ୍ୟବସ୍ଥା ସମ୍ପର୍କରେ ସୂଚନା ନେଇଥିଲେ।ଏହାପରେ କମିଶନର-ତଥା-ସଚିବ କଲୋନୀ ସାହିସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ ସେ ଶିଶୁମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କର ଅଙ୍ଗନବାଡ଼ି କେନ୍ଦ୍ରରେ ଅଂଶଗ୍ରହଣ ଓ ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ପଚାରି ବୁଝିଥିଲେ। ଶିଶୁମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ସ୍ୱାସ୍ଥ୍ୟ ଯୋଜନା ଓ ସେବାଗୁଡ଼ିକର ରୂପାୟଣ ସମ୍ପର୍କରେ ସେ ସମ୍ପୃକ୍ତ କର୍ମଚାରୀମାନଙ୍କଠାରୁ ସୂଚନା ନେଇଥିଲେ।ଜିଲ୍ଲା ଗସ୍ତ ସମୟରେ ସୁଶ୍ରୀ ଅସ୍ୱଥୀ ଏସ୍. ଢେଙ୍କାନାଳରେ ପ୍ରସ୍ତାବିତ ନୂତନ ମେଡିକାଲ କଲେଜ ପାଇଁ ଚିହ୍ନଟ ହୋଇଥିବା ଜମି ମଧ୍ୟ ପରିଦର୍ଶନ କରିଥିଲେ। ସେ ପ୍ରସ୍ତାବିତ ସ୍ଥାନର ସ୍ଥିତି ଓ ଅବସ୍ଥାନ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଚିହ୍ନଟ ହୋଇଥିବା ଜମିର ଅବସ୍ଥାନ ସମ୍ପର୍କରେ ସେ ସନ୍ତୋଷ ପ୍ରକାଶ କରିଥିଲେ।
ଏହି ଅବସରରେ ସେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସମ୍ପର୍କିତ ଚାଲୁଥିବା ବିଭିନ୍ନ ସିଭିଲ୍ ନିର୍ମାଣ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ। କାର୍ଯ୍ୟଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସେ ସମ୍ପୃକ୍ତ ଅଧିକାରୀମାନଙ୍କଠାରୁ ସୂଚନା ନେବା ସହ ନିର୍ମାଣ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ମାଣ କାର୍ଯ୍ୟ ସମୟୋପଯୋଗୀ ଭାବେ ସମ୍ପନ୍ନ କରିବା ସହ ନିର୍ଦ୍ଧାରିତ ମାନଦଣ୍ଡ ଓ ଗୁଣବତ୍ତା ବଜାୟ ରଖିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
କମିଶନର-ତଥା-ସଚିବ ନିୟମିତ ତଦାରଖ, ଉପଯୁକ୍ତ ସମନ୍ୱୟ ଏବଂ ଯୋଜନାବଦ୍ଧ ପଦକ୍ଷେପଗୁଡ଼ିକର ସମୟୋପଯୋଗୀ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଇଥିଲେ। ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ନିର୍ଦ୍ଧାରିତ ପ୍ରୋଟୋକଲ୍ର ଅନୁପାଳନ ଏବଂ ସେବାର ମାନ ବଜାୟ ରଖିବା ଦିଗରେ ନିରନ୍ତର ଧ୍ୟାନ ଦେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଏହି ଗସ୍ତ ସମୟରେ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ୍, ଢେଙ୍କାନାଳ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠୀ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ନୀଳମଣି ଦିଲ୍ଲୀପ ଚାନ୍ଦ ବେହେରା, ଢେଙ୍କାନାଳ ସଦର ବିଡିଓ ଶ୍ରୀ ରାହୁଲ ମଣ୍ଡଳ, ଢେଙ୍କାନାଳ ସଦର ତହସିଲଦାର ଶ୍ରୀ ସ୍ୱାଧୀନ କୁମାର ବେହେରା, ଟ୍ରେନି ଆଇଏଏସ୍ ପ୍ରୋବେସନର୍ ସୁଶ୍ରୀ ସୁଧା ଚୌହାନଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ସମ୍ପୃକ୍ତ ବିଭାଗର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
