ତାଳଚେର ମେଡିକାଲରୁ ୭୨ କର୍ମଚାରୀଙ୍କ ବଦଳି!
ରୋଗୀ ସେବା ନେଇ ଉଠିଲା ବଡ଼ ପ୍ରଶ୍ନ!
ତାଳଚେର:୧୧/୯/(ନିପ୍ର) ଭଞ୍ଜଦୂତ ଖବର କାଗଜ,ତାଳଚେର ପବିତ୍ର ମୋହନ ମେଡିକାଲରୁ ୭୨ ଜଣ ଷ୍ଟାଫ୍ ନର୍ସ, ରୋଗୀ ସହାୟକ ଓ ଅନ୍ୟ କର୍ମଚାରୀଙ୍କୁ ଅନୁଗୋଳ ଜିଲ୍ଲା ମେଡିକାଲକୁ ବଦଳି କରାଯାଇଥିବା ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ଏହି ବଦଳି ଆଦେଶକୁ ନେଇ ଆଜି କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧିମାନେ ମେଡିକାଲ କଲେଜର ପ୍ରିନ୍ସିପାଲଙ୍କୁ ଭେଟି ନିଜର ଦୃଢ଼ ପ୍ରତିବାଦ ଜଣାଇଛନ୍ତି।
ପ୍ରଶ୍ନ ହେଉଛି—ତାଳଚେର ମେଡିକାଲରେ ଯଦି କର୍ମଚାରୀଙ୍କ ଅଭାବ ରହିବ, ତେବେ ରୋଗୀଙ୍କୁ ଉନ୍ନତ ଚିକିତ୍ସା ଓ ସେବା ମିଳିବ କେମିତି?
ଏକପଟେ ତାଳଚେରରେ ମେଡିକାଲ କଲେଜକୁ ନେଇ ବଡ଼ ବଡ଼ ଦାବି ଓ ପ୍ରତିଶ୍ରୁତି, ଆଉ ଅନ୍ୟପଟେ ରୋଗୀ ସେବାର ମୁଖ୍ୟ ଆବଶ୍ୟକତା ଥିବା କର୍ମଚାରୀଙ୍କ ବଦଳି—ଏହା କି ତାଳଚେରବାସୀଙ୍କ ପାଇଁ ନ୍ୟାୟ?
କ୍ରିୟାନୁଷ୍ଠାନ କମିଟିର ଦାବି ସ୍ପଷ୍ଟ—ବଦଳି ଆଦେଶର ପୁନଃବିଚାର କରାଯାଉ ଏବଂ ତାଳଚେର ମେଡିକାଲରେ ପର୍ଯ୍ୟାପ୍ତ କର୍ମଚାରୀ ରଖାଯାଉ।
ଏବେ ଦେଖିବାକୁ ବାକି—ପ୍ରଶାସନ ତାଳଚେରବାସୀଙ୍କ ଏହି ଦାବି ଉପରେ କେବେ ଏବଂ କଣ ପଦକ୍ଷେପ ନେଉଛି। ତାଳଚେର ରୁ ମନୋଜ ରାଉତ ଙ୍କ ରିପୋର୍ଟ
