*ଦରମା ନମିଳିବାରୁ ସଫେଇ କର୍ମଚାରୀଙ୍କ ଧର୍ମଘଟ: ନୂଆପଡ଼ା ଉପଖଣ୍ଡ ଡାକ୍ତରଖାନାରେ ଦୁର୍ଗନ୍ଧ, ନାହିଁ ନଥିବା ହଇରାଣ ରୋଗୀ*।
ନୂଆପଡ଼ା:(ମିଖାଏଲ ନନ୍ଦ)
ତା-୦୯/୦୯
ବକେୟା ଦରମା ପ୍ରଦାନ ଦାବିରେ ନୂଆପଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର ଠିକା ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଆଜିକୁ ୪ ଦିନ ଧରି ଏହି ଧର୍ମଘଟ ଜାରି ରହିଥିବା ବେଳେ ଡାକ୍ତରଖାନା ପରିସରରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି।
ଡାକ୍ତରଖାନାର ବିଭିନ୍ନ ୱାର୍ଡ, ବାରଣ୍ଡା ଏବଂ ଶୌଚାଳୟ ସଫା ନହେବା ଫଳରେ ଚାରିଆଡ଼େ ଅଳିଆ ଆବର୍ଜନା ଜମା ହୋଇ ତୀବ୍ର ଦୁର୍ଗନ୍ଧ ବ୍ୟାପୁଛି। ଏହି କାରଣରୁ ଚିକିତ୍ସାଧୀନ ଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଡାକ୍ତରଖାନାରେ ରହିବା ଅସମ୍ଭବ ହୋଇପଡ଼ିଛି ବୋଲି ଅଭିଯୋଗ କରିଛନ୍ତି। ରୋଗ ଭଲ ହେବା ପରିବର୍ତ୍ତେ ଏହି ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ଅନ୍ୟାନ୍ୟ ସଂକ୍ରମଣ ବ୍ୟାପିବାର ଭୟ ଦେଖାଦେଇଛି।
ନିୟମିତ ପରିଶ୍ରମ କରୁଥିବା ଏହି ଠିକା ସଫେଇ କର୍ମଚାରୀମାନେ ପ୍ରତି ମାସରେ ଉଚିତ ସମୟରେ ପାରିଶ୍ରମିକ ପାଇବା ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର। ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବା ସହ ଦାୟିତ୍ୱରେ ଥିବା ସମ୍ପୃକ୍ତ ଠିକା ସଂସ୍ଥା (ଏଜେନ୍ସି) ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଯଥାଶୀଘ୍ର କର୍ମଚାରୀଙ୍କ ବକେୟା ଦରମା ପ୍ରଦାନ କରି ଡାକ୍ତରଖାନାରେ ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବାକୁ ରୋଗୀ ଓ ସ୍ଥାନୀୟ ବାସିନ୍ଦା ନିବେଦନ କରିଛନ୍ତି।
