**ପୋଖରୀରେ ବୁଡ଼ି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ: ତିଲେମାଲ୍ ଗାଁରେ ଶୋକର ଛାୟା, କ୍ଷତିପୂରଣ ଦାବି*।
ନୂଆପଡା(ମିଖାଏଲ ନନ୍ଦ)
ତା:୦୬.୦୯
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଅନ୍ତର୍ଗତ ତିଲେମାଲ୍ ଗ୍ରାମରେ ଏକ ଅତ୍ୟନ୍ତ ଦୁଃଖଦ ତଥା ହୃଦୟବିଦାରକ ଘଟଣା ଘଟିଯାଇଛି। ଗାଁ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଦୁଇ ନାବାଳିକା ଭଉଣୀଙ୍କ ପ୍ରାଣହାନି ଘଟିଛି। ମୃତକ ଦୁଇ ଭଉଣୀ ହେଲେ ଗ୍ରାମର ନୀଳକଣ୍ଠ ହଂସଙ୍କ ଝିଅ ଯଶୋଦା ହଂସ ଓ ଗୁପ୍ତେଶ୍ୱରୀ ହଂସ।
ସୂଚନା ଅନୁଯାୟୀ, ଆଜି ଦୁଇ କୁନି ଝିଅ ଗାଁ ପାଖ ଦର୍ଲିବନ୍ଧ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ମାତ୍ର ଦୀର୍ଘ ସମୟ ଧରି ସେମାନେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ଉଭୟ ଭଉଣୀ ପାଣିରେ ବୁଡ଼ି ଯାଇଥିବା ଜଣାପଡ଼ିଥିଲା। ସେମାନଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା କ୍ଷଣି ପୋଖରୀ ନିକଟରେ ଶହ ଶହ ଗ୍ରାମବାସୀ ରୁଣ୍ଡ ହୋଇଥିଲେ ଏବଂ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।
ଖବର ପାଇ ସିନାପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ, ସରକାରୀ ନିୟମ ଅନୁଯାୟୀ ତୁରନ୍ତ ସେମାନଙ୍କୁ ଆର୍ଥିକ କ୍ଷତିପୂରଣ ଏବଂ ପ୍ରଶାସନିକ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି।
