ନାବାଳିକାକୁ ଆକ୍ରମଣ କରି ଅପହରଣ ଉଦ୍ୟମରେ ୬ ଅଭିଯୁକ୍ତ ଗିରଫ।
ରେଢ଼ାଖୋଲ ୦୧.୯(ଭଂଜଦୂତ ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଅନ୍ତର୍ଗତ ନାକଟିଦେଉଳ ଥାନା ଅଧୀନ ଡୁମାମହୁଲ ଗ୍ରାମର ଜଣେ ୧୨ ବର୍ଷୀୟ ନାବାଳିକା ଙ୍କୁ ସଂଘବଦ୍ଧ ଭାବରେ ଆକ୍ରମଣ କରି ଅପହରଣ ଉଦ୍ୟମ ଅଭିଯୋଗରେ ୬ ଜଣ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି ନାକଟିଦେଉଳ ପୋଲିସ। ଅଭିଯୁକ୍ତ ମାନେ ହେଲେ କିସିଣ୍ଡା ଥାନା କଞ୍ଚନପୁର ଗ୍ରାମର ଅରୁଣ କିସାନ, ବଳମ ଗ୍ରାମର ଲିଙ୍କନ ଭୁତିଆ, ରାହୁଲ ବସନ୍ତରା ଏବଂ ଟିକେଶ୍ୱର ସାହୁ ସମେତ ମୁଖ୍ୟ ଅଭିଯୁକ୍ତ ମାନସ କିସାନ। ସୂଚନା ଅନୁଯାୟୀ ଡୁମାମହୁଲ ଗ୍ରାମର ଜଣେ ୧୨ ବର୍ଷୀୟ ନାବାଳିକା କୁ କିସିଣ୍ଡା ଥାନା ଅନ୍ତର୍ଗତ ବଲାସିଙ୍ଗା ଗ୍ରାମର ମାନସ କିସାନ ନାମକ ଜଣେ ୧୭ ବର୍ଷର ନାବାଳକ ବାରମ୍ବାର ଫୋନ୍ କରି ହଇରାଣ ହରକତ କରି ଆସୁଥିଲା। ଗତ ୩୦ ତାରିଖ ଦିନ ଉକ୍ତ ଅଭିଯୁକ୍ତ ଜଣଙ୍କ ଫୋନ୍ କରିବାରୁ ନାବାଳିକାର ମାଆ ତାକୁ ପରିଚୟ ମାଗି ଆଉ ଫୋନ୍ ନ କରିବାକୁ ତାଗିଦ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ମାନସ ତାର ଅନ୍ୟ ୫ ଜଣ ସହଯୋଗୀଙ୍କ ସହ ୨ଟି ବାଇକ୍ ରେ ଆସି ରାତ୍ରି ୮ ଟାରେ ଘର ଭିତରୁ ସଂମ୍ପୃକ୍ତ ନାବାଳିକା ର ଚୁଟି କୁ ଟାଣି ଘୋଷାଡି ଘୋଷାଡି ରାସ୍ତା ଉପରକୁ ଆଣି ମାଡ଼ ମାରିବା ସହ ଛୁରୀ ଦେଖାଇ ହତ୍ୟା କରିବାକୁ ଧମକ ଦେଇଥିଲେ। ତେବେ ଏହି ସମୟରେ ପାଟିତୁଣ୍ଡ ଶୁଣି ଗାଁ ଲୋକ ସେଠାରେ ପହଞ୍ଚି ଯିବାରୁ ଅଭିଯୁକ୍ତ ମାନେ ସେଠାରୁ ଫେରାର ହୋଇଯାଇଥିଲେ। ଏ ସଂକ୍ରାନ୍ତରେ ନାବାଳିକା ପରିବାର ଲୋକେ ନାକଟିଦେଉଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ପୋଲିସ ଘଟଣାର ତଦନ୍ତ କରି ଉକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି ସେମାନଙ୍କ ଠାରୁ ଗୋଟିଏ ଛୁରୀ, ମୋବାଇଲ ଦୁଇଟି ବାଇକ ଜବତ କରି ଉକ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଉଥିବା ଜଣାପଡ଼ିଛି।
