ସୋର(ଜ୍ୟୋତି ପ୍ରକାଶ ଦୀକ୍ଷିତ): ବେଆଇନ ପଥର ବ୍ଲାଷ୍ଟିଂ, ଚୋରା ଚାଲାଣରୁ ମୁକ୍ତ ହୋଇ ପାରୁ ନାହିଁ ବାଲେଶ୍ୱର ଜିଲ୍ଲା ସୋର ବ୍ଲକର ବାଗୁଡ଼ି ଖଞ୍ଜାମାହଲ ପଥର ଖାଦାନ। ଗତ ଦୁଇଦିନ ତଳେ ପୋଲିସ ପକ୍ଷରୁ ଖାଦାନର ମୁଖ୍ୟ ରାସ୍ତାରେ ବସା ଯାଇଥିବା ଚେକ ପୋଷ୍ଟ କ୍ୟାମ୍ପକୁ ଉଠାଯାଇଛି। ଫଳରେ ମାଫିଆ ମାନେ ପୂର୍ବବତ କିଛି ଅଧିକାରୀଙ୍କୁ ହାତ କରି ପଥର ଚୋରାଚାଲାଣ ଆରମ୍ଭ କରିଛନ୍ତି। ଆଜି ସକାଳେ ବେଆଇନ ଭାବେ ପଥର ବ୍ଲାଷ୍ଟିଂ କରାଯାଉଥିବାର ଖବର ପାଇ ସୋର ତହସିଲଦାର ଦୈତାରୀ ମଲ୍ଲିକ ଚଢ଼ାଉ କରି ୩୦ ଟ୍ରକରୁ ଉର୍ଦ୍ଧ୍ୱ ପଥର ଜବତ କରିଛନ୍ତି। ସୂଚନା ଅନୁସାରେ ଏହି ଖଦାନର ୫୫ ନମ୍ବର କ୍ୱାରିରେ ଆଜି ସକାଳେ ବେଆଇନ ଭାବେ ବ୍ଲାଷ୍ଟିଂ କରାଯାଇଥିଲା। ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ସୋର ତହସିଲଦାର ସେଠାରେ ପହଂଚି ପଥରକୁ ଜବତ କରି ଖଣି ବିଭାଗକୁ ହସ୍ତାନ୍ତର କରିଥିଲେ। ଜବତ ପଥରକୁ କେତେ ଟଙ୍କାରେ ନିଲାମ କରାଗଲା ତାହା ଖଣି ବିଭାଗ ପକ୍ଷରୁ ସୂଚନା ମିଳିପାରିନାହିଁ।
