(କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର କାଗଜ)
କୋକସରା, ୨୯/୮: କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତର ଭାଲିଆଯୋର ଗ୍ରାମର ଜୟସିଂ ଧଙ୍ଗଡାମାଝୀ (୪୫) ହାଇଦ୍ରାବାଦରୁ ଘରକୁ ଫେରୁଥିବା ବେଳେ ନିଖୋଜ ହୋଇଥିବା ଜଣାପଡ଼ିଛି।
ପ୍ରାୟ ୫ ମାସ ତଳେ ଜୟସିଂ ପେଟପାଟଣା ପାଇଁ ହାଇଦ୍ରାବାଦ ଯାଇ ଶ୍ରମିକ ଭାବେ କାମ କରୁଥିଲେ। ତେବେ ଅସୁସ୍ଥ ହୋଇ ଜ୍ୱରରେ ପୀଡ଼ିତ ହେବା ପରେ ଗତ ମଙ୍ଗଳବାର ଟ୍ରେନ୍ ଯୋଗେ ଗାଁକୁ ଫେରୁଥିଲେ। ହେଲେ ଗୁରୁବାର ସୁଦ୍ଧା ସେ ଘରେ ପହଞ୍ଚି ନଥିବା ବେଳେ ତାଙ୍କ ସହ କୌଣସି ପ୍ରକାର ଯୋଗାଯୋଗ ମଧ୍ୟ ହୋଇପାରିନଥିଲା।
ଏନେଇ ଚିନ୍ତିତ ପରିବାର ଲୋକେ ଶୁକ୍ରବାର ଆମପାଣି ଥାନାରେ ଜୟସିଂଙ୍କ ନିଖୋଜ ସମ୍ପର୍କରେ ଅଭିଯୋଗ କରିଛନ୍ତି। ତାଙ୍କୁ ଖୋଜିବା ପାଇଁ ପରିବାରର ବଡ଼ଭାଇ ହାଇଦ୍ରାବାଦ ଅଭିମୁଖେ ବାହାରିଥିବା ଜଣାପଡ଼ିଛି। ନିଖୋଜ ଜୟସିଂଙ୍କ ସନ୍ଧାନ ପାଇଁ ପରିବାର ପକ୍ଷରୁ ପୁଲିସର ସହଯୋଗ ଲୋଡ଼ାଯାଇଛି।
