ବୌଦ୍ଧରେ ଜାତୀୟ କ୍ରୀଡ଼ା ଦିବସ ପାଳନ ଆରମ୍ଭ,ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ l
ବୌଦ୍ଧ, ତା. ୨୮/୦୮
ମହାନ ହକି ଖେଳାଳି ତଥା ହକିର ଯାଦୁଗର ଭାବେ ପରିଚିତ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିବସ ଅବସରରେ ଦେଶବ୍ୟାପୀ ପାଳିତ ହେଉଥିବା ଜାତୀୟ କ୍ରୀଡ଼ା ଦିବସ ପାଳନ ବୌଦ୍ଧ ଜିଲ୍ଲାରେ ଆଜି ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଏହି ଅବସରରେ ସପ୍ତାହବ୍ୟାପୀ ବିଭିନ୍ନ କ୍ରୀଡ଼ା ଓ ଯୁବ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।
ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ଆଇପିଇ ଆନନ୍ଦ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାମଲ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିମାନେ ମେଜର ଧ୍ୟାନଚାନ୍ଦଙ୍କ ଫୋଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଅମର କ୍ରୀଡ଼ା ପ୍ରତିଭା ଓ ଦେଶ ପାଇଁ ଅବଦାନକୁ ସ୍ମରଣ କରିଥିଲେ। ମେଜର ଧ୍ୟାନଚାନ୍ଦଙ୍କ ଜୀବନ ଓ କ୍ରୀଡ଼ା ଆଦର୍ଶ ଯୁବପିଢ଼ିକୁ ଶୃଙ୍ଖଳା, ନିଷ୍ଠା, ଅଧ୍ୟବସାୟ ଓ ଦେଶପ୍ରେମର ପ୍ରେରଣା ଦିଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବା ସହ ସେମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ଶାରୀରିକ ସୁସ୍ଥତା, ଦଳଗତ ଭାବନା ଓ ପ୍ରତିଯୋଗିତାମୂଳକ ମନୋବୃତ୍ତି ବିକଶିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ କ୍ରୀଡ଼ା କାର୍ଯ୍ୟକଳାପ ଆୟୋଜିତ ହୋଇଥିଲା। ଛାତ୍ରୀମାନେ ହକି ଡ୍ରିବଲିଂ, ଦଉଡ଼ି ଡିଆଁ , ବାସ୍କେଟବଲ୍ ଆଦି କ୍ରୀଡ଼ାରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ଜ୍ୟୋତି ରଞ୍ଜନ ଭୁଏ ଆୟୋଜନ କରିଥିଲେ l ଏଥିରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ଶିକ୍ଷକ- ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଯୋଗଦେଇ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ଅବସରରେ ଜାତୀୟସ୍ତରରେ କ୍ରୀଡ଼ା କ୍ଷେତ୍ରରେ ସଫଳତା ହାସଲ କରିଥିବା ରଶ୍ମିବାଳା ବଗର୍ତ୍ତିଙ୍କୁ ସ୍ୱୀମିଂ ଏବଂ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କୁ ଆର୍ଚେରୀ ପାଇଁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। ସେମାନଙ୍କ ସଫଳତା ଜିଲ୍ଲାର ଯୁବ କ୍ରୀଡ଼ାବିତ୍ମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ଅତିଥିମାନେ କହିଥିଲେ।
ଜାତୀୟ କ୍ରୀଡ଼ା ଦିବସ ପାଳନର ପରବର୍ତ୍ତୀ ପର୍ଯ୍ୟାୟରେ ଆସନ୍ତା ୩୦ ଅଗଷ୍ଟରେ ସାଇକେଲ୍ ରାଲି ସହିତ ସନ୍ତରଣ, ବାଟୁଳି/ସ୍ଲିଂ ସଟ୍, ଫୁଟବଲ୍, ଭଲିବଲ୍ ଆଦି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଓ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଜିଲ୍ଲାର ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ଏହି ସମସ୍ତ କ୍ରୀଡ଼ା କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଯୋଗଦେଇ “ଖେଳିବା, ସୁସ୍ଥ ରହିବା ଓ ଆଗକୁ ବଢ଼ିବା”ର ବାର୍ତ୍ତାକୁ ସାକାର କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆହ୍ୱାନ କରାଯାଇଛି।
