କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ
ବରଗଡ : ୨୦/୦୮(ନି ପ୍ର) ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ବିଶିପାଲୀ ଠାରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ‘ଜୁଏହୁଲା ଲୋକମହୋତ୍ସବ ପାଳନ କମିଟି, ବିଶିପାଲୀ’ ପକ୍ଷରୁ ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହୋଇଯାଇଛି। କମିଟିର ସଭାପତି ଦିଲୀପ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଜୟନ୍ତୀ କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ସଂଖ୍ୟକ ଲୋକ, ଶିକ୍ଷାବିତ, ଶିକ୍ଷକ, ସାମ୍ବାଦିକ ଓ ସାଂସ୍କୃତିକପ୍ରେମୀ ଯୋଗଦେଇ ଭଗବାନ ସାହୁଙ୍କ ସ୍ମୃତିଚାରଣ କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ନରେନ୍ଦ୍ର କୁମାର ହୋତା ଯୋଗଦେଇ କୋଶଲି ନାଟ୍ୟ ଓ ଲୋକସଂସ୍କୃତିର ବିକାଶରେ ଭଗବାନ ସାହୁଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଭଗବାନ ସାହୁ ନିଜର କଳା, ସାଧନା ଓ ନିଷ୍ଠା ମାଧ୍ୟମରେ କୋଶଲି ଲୋକନାଟ୍ୟକୁ ଏକ ସ୍ୱତନ୍ତ୍ର ପରିଚୟ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ତାଙ୍କର କଳା ଓ ସାଂସ୍କୃତିକ ଅବଦାନ ଆଗାମୀ ପିଢ଼ି ପାଇଁ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ସେ ମତବ୍ୟକ୍ତ କରିଥିଲେ।ସମ୍ମାନିତ ଅତିଥି ଭାବେ ଲେଣ୍ଡା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ସ୍ୱାଇଁ ଓ ସାମ୍ବାଦିକ ବାଲକିଶୋର ଖାଡ଼ଙ୍ଗା ଯୋଗଦେଇ ଭଗବାନ ସାହୁଙ୍କ ଜୀବନ, କଳାସାଧନା ଓ କୋଶଲି ସଂସ୍କୃତି ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ମତ ରଖିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାଧବ ଭୋଇ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଭଗବାନ ସାହୁଙ୍କ ସ୍ମୃତିକୁ ଚିରସ୍ଥାୟୀ କରିବା ସହ ତାଙ୍କର ସୃଜନଶୀଳ କାର୍ଯ୍ୟଧାରାକୁ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବାର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ସ୍ୱର୍ଗତ ଭଗବାନ ସାହୁଙ୍କ ଜୀବନ ଓ କୋଶଲି ନାଟ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ତାଙ୍କ ଦ୍ୱାରା କୋଶଲି ଭାଷା, ଲୋକକଳା ଓ ନାଟ୍ୟ ପରମ୍ପରାର ପ୍ରଚାର-ପ୍ରସାର ପାଇଁ କରାଯାଇଥିବା ଉଦ୍ୟମକୁ ଉପସ୍ଥିତ ବକ୍ତାମାନେ ସ୍ମରଣ କରିଥିଲେ। ନୂତନ ପିଢ଼ି ତାଙ୍କ ଆଦର୍ଶ ଓ ସାଂସ୍କୃତିକ ଚେତନାରୁ ପ୍ରେରଣା ନେଇ କୋଶଲି ଲୋକକଳାର ସୁରକ୍ଷା ଓ ପ୍ରସାର ଦିଗରେ ଆଗେଇ ଆସିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ଭାବେ ବିଦ୍ୟାଳୟର ଗୋଟିଏ କୋଠରୀକୁ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ନାମରେ ନାମିତ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏହି ପଦକ୍ଷେପ ମାଧ୍ୟମରେ ଭଗବାନ ସାହୁଙ୍କ ସ୍ମୃତିକୁ ସମ୍ମାନ ଦେବା ସହ ଛାତ୍ରଛାତ୍ରୀଙ୍କ ମନରେ କୋଶଲି କଳା, ସାହିତ୍ୟ ଓ ସଂସ୍କୃତି ପ୍ରତି ଆଗ୍ରହ ସୃଷ୍ଟି କରିବାରେ ସହାୟକ ହେବ ବୋଲି ଉପସ୍ଥିତ ସମସ୍ତେ ମତ ଦେଇଥିଲେ।ଶେଷରେ ଅରକ୍ଷିତ ଚନ୍ଦ୍ର ମହାନନ୍ଦ କାର୍ଯ୍ୟକ୍ରମର ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଭଗବାନ ସାହୁଙ୍କ ଜୟନ୍ତୀ ପାଳନ ଅବସରରେ ତାଙ୍କର ସ୍ମୃତିଚାରଣ ସହ କୋଶଲି ଲୋକନାଟ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ସମସ୍ତେ ଏକତ୍ରିତ ହେବାର ଆହ୍ୱାନ ଦିଆଯାଇଥିଲା।
