ଜାତୀୟ ରାଜପଥ ୪୯ ପୁଆଣି ଛକ ଠାରୁ ପଡାଶିଆ ଅଙ୍ଗନବାଡ଼ି ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ
___________________
ସାରସକଣା,(୨୦/୮/୨୬):(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ସାରସକଣା ବ୍ଲକ୍ ଅଧିନରେ ଆସୁଥିବା ଝାରପୋଖରିଆ ପଞ୍ଚାୟତର ଜାତୀୟ ରାଜପଥ ୪୯ ପୁଆଣି ଛକ ଠାରୁ ପଡାଶିଆ ଅଙ୍ଗନବାଡ଼ି ଛକ ପର୍ଯ୍ୟନ୍ତ ଯାଇଥିବା ପ୍ରାୟ ୨ କିଲୋମିଟର ଆର୍.ଡି. ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତାର ବିଭିନ୍ନ ସ୍ଥାନରେ ମେଟାଲ ସବୁ ଉଠି ଯାଇ ବଡ଼ ବଡ଼ ଗର୍ତ୍ତ ହେବା ସହିତ, ଗର୍ତ୍ତ ଗୁଡ଼ିକରେ ପାଣି ଭରିଯାଇ ଗଡ଼ିଆ ପୋଖରି ଭଳି ଦେଖାଯିବା ଓ ଅତ୍ୟନ୍ତ ଦୁରବସ୍ଥା ଯୋଗୁଁ ଉକ୍ତ ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ଥିବାରୁ ସେଠାକୁ ଯାଉଥିବା ପିଲାମାନେ ଓ ସ୍ଥାନୀୟ ଗ୍ରାମବାସୀ ମଧ୍ୟ ଏହି ରାସ୍ତାରେ ଯାତାୟାତ କରିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି । ୬ ଟି ଗାଁର ଲୋକଙ୍କ ଭରସା ଏହି ରାସ୍ତା ପୁଆଣି, ଗୋହଳାମୁଣ୍ଡା, ସରଗଡ଼ା,ପଡାଶିଆ, ଜାମିତି ଓ ବେଲବରିଆ ଗ୍ରାମର ଲୋକମାନେ ଦୈନନ୍ଦିନ ଯାତାୟାତ ପାଇଁ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ଛାତ୍ରଛାତ୍ରୀ, ବୁଦ୍ଧ ଓ ସାଧାରଣ ଲୋକଙ୍କ ସହ ଜରୁରୀ ସମୟରେ ଆମ୍ବୁଲାନ୍ସ ମଧ୍ୟ ଏହି ରାସ୍ତା ଦେଇ ଯିବା ଆସିବା କରିଥାଏ।
ରାସ୍ତାର ଦୁରବସ୍ଥା ଯୋଗୁଁ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ଯାନବାହାନର ଯାତାୟାତ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି । ରୋଗୀଙ୍କୁ ହସ୍ପିଟାଲ ନେବା ସମୟରେ ରାସ୍ତାର ବଡ଼ ବଡ଼ ଖାଲଖମା ଯୋଗୁଁ ଅନାବଶ୍ୟକ ବିଳମ୍ବ ଓ ଅସୁବିଧା ସୃଷ୍ଟି ହୋଇପାରେ ।
କେବେ ଜାଗିବ ସ୍ଥାନୀୟ ପ୍ରଶାସନ? କୌଣସି ବଡ ଅଘଟଣ ଘଟିବା ପୂର୍ବରୁ ରାସ୍ତାର ତୁରନ୍ତ ମରାମତି କରିବା ସହ ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଜରୁରୀକାଳୀନ ଯାନବାହାନ, ଓ ସାଇକେଲ, ମଟର ସାଇକେଲର ସୁଗମ ଯାତୟାତ ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ଆର.ଡି. ବିଭାଗ ଓ ପ୍ରଶାସନ ତୁରନ୍ତ ଦୃଷ୍ଟିଦେଇ ରାସ୍ତାର ସ୍ଥାୟୀ ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
