
ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ସୁଦୂର ଦକ୍ଷିଣ ଆଫ୍ରିକାର କେନିଆ ସହରରେ ଓଡ଼ିଆ ମାନେ ବେଶ ଧୁମଧାମରେ ପବିତ୍ର ରଥଯାତ୍ରା ପାଳନ କରିଛନ୍ତି। ଆଉ ଏଥିରେ ସୋର ଅଞ୍ଚଳର କିଛି ଯୁବକ ଦାୟିତ୍ୱ ଭାର ନେଇ ଶୃଙ୍ଖଳିତ ଭାବେ ଏହାକୁ ସମାପନା କରିଛନ୍ତି। ସୋର ଅନନ୍ତପୁର , ବାହାନାଗା ସମେତ ବାଲେଶ୍ୱର, ଭଦ୍ରକ , କଟକ,ଯାଜପୁର ଆଦି ଅଂଚଳରୁ ୫ ଶହରୁ ଉର୍ଦ୍ବ ଓଡ଼ିଆ ଲୋକ ଦକ୍ଷିଣ ଆଫ୍ରିକାର କେନିଆ ସହରରେ ରହୁଛନ୍ତି। ଅନେକ ସେଠାରେ ଚାକିରୀ କରିଥିବା ବେଳେ ଅନେକ ନିଜସ୍ୱ ବ୍ୟବସାୟ କରୁଛନ୍ତି। ତେବେ ପବିତ୍ର ରଥଯାତ୍ରାକୁ ସେଠାରେ ରହୁଥିବା ଓଡ଼ିଆ ମାନେ ଶ୍ରୀ ଜଗନ୍ନାଥ ଇଷ୍ଟ ଆଫ୍ରିକା ଓଡ଼ିଆ ସମାଜ ନାଁରେ ଏକ ସଂଗଠନ ଗଠନ କରିବା ସହିତ ଉକ୍ତ ସଂଗଠନ ମାଧ୍ୟମରେ ଏହି ପବିତ୍ର ରଥଯାତ୍ରାକୁ ପାଳନ କରିଛନ୍ତି। ସକାଳେ ୯ ଟାରେ ଠାକୁରଙ୍କର ନୀତିକାନ୍ତି ପରେ ୧୦.୩୦ ରେ ରଥ ଟଣା ଆରମ୍ଭ ହୋଇ ୧୨ ୩୦ ରେ ଶେଷ ହୋଇଥିଲା। ଦୀପ୍ତି ମହାନ୍ତି ଓ ପୁଣ୍ଡରିକ ଗୋସ୍ୱାମୀ ଛେରା ପହଁରା କରିଥିଲେ। ନାଇରୋବି ରୁ ରଥ ଟଣା ଯାଇ ପ୍ରାୟ ୪ କିମି ସାଇ ଟେମ୍ପୁଲ ପର୍ଯ୍ୟନ୍ତ ପରିକ୍ରମା କରିବା ସହିତ ସେଠାରେ ଜଣେ ଓଡ଼ିଆଙ୍କ ଘରେ ଠାକୁରଙ୍କୁ ଅବସ୍ଥାନ କରାଯାଇଥିଲା। ଏଥିରେ ୫ ଶହରୁ ଉର୍ଦ୍ବ ଓଡ଼ିଆଙ୍କ ସମେତ ଜଗନ୍ନାଥଙ୍କ ପ୍ରେମରେ ପଡିଥିବା ୩ ଶହରୁ ଉର୍ଦ୍ବ କେନିଆ ବାସୀ ଓ ୨ ଶହରୁ ଉର୍ଦ୍ବ ଇସ୍କନ ଦୀକ୍ଷିତ ଲୋକଙ୍କର ସମାଗମ ହୋଇଥିଲା। ଠାକୁରଙ୍କ ମାଉସୀମା ମନ୍ଦିରକୁ ପ୍ରବେଶ ପରେ ପରସ୍ପର ମିଶି ଛେନାପୋଡ଼ ଖାଇବା ସହିତ ପ୍ରସାଦ ସେବନ କରିଥିଲେ। ଏଥିରେ ରାଜେନ୍ଦ୍ର ନାୟକ, ପତିତ ପାବନ ଧଳ,ସ୍ଵପ୍ନେଶ୍ଵର ଷଡ଼ଙ୍ଗୀ , ଦିବ୍ୟଜ୍ୟୋତି ସାହୁ , ରବୀନ୍ଦ୍ର ନାୟକ , ରାଜେଶ ରାଉତ , ପ୍ରଶାନ୍ତ ମହାପାତ୍ର , ସୂର୍ଯ୍ୟ ପ୍ରଧାନ , ବସନ୍ତ ଓଝା , ଜୟନ୍ତ ପ୍ରଧାନ ବିମଲ ଘଡ଼ାଇ , ରୁପେଶ ଘଡ଼ାଇ ପ୍ରମୁଖ ପରିଚାଳନା କରିଥିବା ବେଳେ ଅନ୍ୟମାନେ ସହଯୋଗ କରିଥିଲେ।ସେହିପରି ଭାବେ ଦୁବାଇରେ ସୋର ସହର ବିଭିନ୍ନ ଅଞ୍ଚଳରୁ ରହୁଥିବା ଓଡ଼ିଆ ମାନେ ମଧ୍ୟ ସେଠାରେ ରଥଯାତ୍ରା ପାଳନ କରିଛନ୍ତି।