ଜାଲ ଜନ୍ମ ତାରିଖ ଦେଇ ସରକାରୀ ଚାକିରୀ ହାତେଇ ଥିବା ଅଭିଯୋଗ : ହାଇକୋର୍ଟଙ୍କ ରାୟକୁ ଅପେକ୍ଷା
ଖଇରା:(ଭଞ୍ଜଦୂତ, ନିପ୍ର)::: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସାରୁଗାଁ ପଞ୍ଚାୟତ ନୂଆଗାଁ ବଡ଼ ଗ୍ରାମର ସୁରେନ୍ଦ୍ର ନାଥ ମଲ୍ଲିକଙ୍କ ପୁଅ କମଳାକାନ୍ତ ମଲ୍ଲିକ ହରିପୁର ରଟିନାରେ ପ୍ରାଣୀଧନ ନିରୀକ୍ଷକ ଭାବେ ନିଯୁକ୍ତି ପାଇ କାର୍ଯ୍ୟରତ ଅଛନ୍ତି। ମାତ୍ର ଜାଲ ବୟସ ପ୍ରମାଣ ପତ୍ର ଦେଇ ମ୍ୟାଟ୍ରିକ ସାର୍ଟିଫିକେଟ ହାତେଇ ଚାକିରୀ ପାଇଛନ୍ତି ବୋଲି ଅଭିଯୋଗ ହୋଇଛି। ଅଭିଯୋଗକାରୀ ଉଦୟ କୁମାର ବାରିକଙ୍କ ସୂଚନା ଅନୁସାରେ ଶ୍ରୀ ମଲ୍ଲିକଙ୍କ ପ୍ରଥମ ମ୍ୟାଟ୍ରିକ ଫେଲ ସାର୍ଟିଫିକେଟ ଡିସପୋଜାଲ ନମ୍ବର ୪୨୧ ରୋଲ ନମ୍ବର ୭୬ଏସବି୦୮୩ ରେ ରାଇରାମଚନ୍ଦ୍ରପୁରରେ ଥିବା ଆରଆରସି ହାଇସ୍କୁଲ ୨୦୦୦ ମସିହାରେ ଜନ୍ମ ତାରିଖ ୦୩. ୦୪. ୧୯୮୪ ଓ ବାପାଙ୍କୁ ନାମ ସୁରେନ୍ଦ୍ର ନାଥ ମଲ୍ଲିକ ବୋଲି ଉଲ୍ଲେଖ ତତ୍କାଳୀନ ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ପ୍ରଦାନ କରାଯାଇଛି। ପରେ ଶ୍ରୀ ମଲ୍ଲିକ ୨୦୦୪ ମସିହାରେ ଅନ୍ୟ ଏକ ହାଇସ୍କୁଲ ଉପେନ୍ଦ୍ର ପ୍ରସାଦ ଉଚ୍ଚ ବିଦ୍ୟାପୀଠ, ମଙ୍ଗଳପଡ଼ା, ଖଇରାରୁ ମ୍ୟାଟ୍ରିକ ପାସ ସାର୍ଟିଫିକେଟ ହାସଲ କରିଥିଲେ, ଯେଉଁ ସାର୍ଟିଫିକେଟରେ ବାପାଙ୍କ ନାମ ସୁରେନ୍ଦ୍ର ପ୍ରସାଦ ମଲ୍ଲିକ ଏବଂ ଜନ୍ମ ତାରିଖ ୨୪. ୧୧. ୧୯୮୮ ବୋଲି ଉଲ୍ଲେଖ ରହିଛି। ଏ ସଂକ୍ରାନ୍ତରେ ଅଭିଯୋଗକାରୀ ଉଦୟ କୁମାର ବାରିକ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟଳୟଙ୍କ ଦ୍ୱାରସ୍ଥ ହୋଇ ଏକ ଡବ୍ଲ୍ୟୁପିସି କେସ ନମ୍ବର ୩୩୫୨୩/୨୦୨୩ ମାମଲା ଦାୟର କରିଛନ୍ତି। ଏହି କେସ ମୂଳେ ମାନ୍ୟବର ହାଇକୋର୍ଟଙ୍କ ଆଦେଶ ପରେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏକ ନୋଟିସ ହୋଇଥିଲା। ଉକ୍ତ ନୋଟିସ ମୂଳେ ଜିଲ୍ଲାପାଳଙ୍କ ନିକଟରେ ଉଭୟ ପକ୍ଷ ନିଜ ପକ୍ଷ ରଖିଥିଲେ। ବର୍ତ୍ତମାନ ଅପେକ୍ଷା ହାଇକୋର୍ଟଙ୍କ ରାୟକୁ। ଉକ୍ତ ଅଭିଯୋଗ ଯଦି ସତ୍ୟ ପ୍ରମାଣିତ ହୁଏ ତାହାଲେ ଏହିଠୁଁ ସ୍ପଷ୍ଟ ଭାବେ ଅନୁମେୟ ରାଜ୍ୟରେ ଏମିତି ଜାଲ ଜନ୍ମ ପ୍ରମାଣ ପତ୍ର ଦେଇ କେତେ ବ୍ୟକ୍ତି ସରକାରୀ ଚାକିରୀ କରିଛନ୍ତି। ଯଦି କରିଛନ୍ତି ସରକାର ସେମାନଙ୍କର ସତ୍ୟାସତ୍ୟ ଯାଞ୍ଚ କେତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ କେତେ ଜଣଙ୍କୁ ଚାକିରୀରୁ ବହିଷ୍କୃତ କରିଛନ୍ତି। ଦେଖିବାକୁ ବାକି ରହିଲା ହାଇକୋର୍ଟଙ୍କ ରାୟ ଯଦି କମଳାକାନ୍ତଙ୍କ ବିରୋଧରେ ଯିବ ତେବେ ତାଙ୍କ ଉପରେ ସରକାର କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ?
