ପ୍ରଶାସନ ଶୋଇଛି ଘୋର ନିଦ୍ରାରେ , ନିଜସ୍ୱ ଉଦ୍ୟମରେ ରାଧାକୃଷ୍ଣ ମନ୍ଦିର ସମ୍ମୁଖ ଅଳିଆ ଆବର୍ଜନା ସଫା କଲେ ପରମାନନ୍ଦପୁର ଗ୍ରାମବାସୀ
ଶେରଗଡ଼(ରିପୋର୍ଟ:- ରାଜକିଶୋର ସାବତ)
ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ପରମାନନ୍ଦପୁର ଗ୍ରାମର ପୁରାତନ ରାଧାକୃଷ୍ଣ ମନ୍ଦିର ଗେଟ୍ ଆଗରେ ଦୀର୍ଘ ଦିନ ଧରି ଜମି ରହିଥିବା ଅନାବନା ଗଛଲତା, ଜଙ୍ଗଲ ଏବଂ ଅଳିଆ ଆବର୍ଜନା ଯୋଗୁଁ ଭକ୍ତମାନେ ଯାତାୟାତରେ ଚରମ ହନ୍ତସନ୍ତ ହେଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଥିଲା। ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ମଧ୍ୟ ସ୍ଥାନୀୟ ପ୍ରଶାସନ କିମ୍ବା ପଞ୍ଚାୟତର କୌଣସି ଦେଖା ମିଳିନଥିଲା। ଶେଷରେ ପ୍ରଶାସନର ଉଦାସୀନତାକୁ ଭରସା ନକରି ପରମାନନ୍ଦପୁର ଗ୍ରାମର ସଚେତନ ଗ୍ରାମବାସୀମାନେ ନିଜେ ଆଗେଇ ଆସିଛନ୍ତି।ସୂଚନା ଅନୁଯାୟୀ, ଗ୍ରାମର ଗ୍ରାମବାସୀ ଏକାଠି ହୋଇ ଆଜି ଅପରାହ୍ନରେ ଏକ ସ୍ୱତନ୍ତ୍ର ସଫେଇ ଅଭିଯାନ ଆରମ୍ଭ କରିଥିଲେ। ଗ୍ରାମବାସୀମାନେ ନିଜସ୍ୱ ଉଦ୍ୟମରେ ମନ୍ଦିର ପ୍ରବେଶ ଦ୍ୱାର ସମ୍ମୁଖରେ ଥିବା ସମସ୍ତ ଅନାବନା ଗଛଲତା ସଫା କରିବା ସହ ଦୀର୍ଘ ଦିନ ଧରି ଜମି ରହିଥିବା କାଦୁଅ, ପଙ୍କ ଏବଂ ଦୁର୍ଗନ୍ଧଯୁକ୍ତ ମଇଳା ଅଳିଆ ଆବର୍ଜନାକୁ ସମ୍ପୂର୍ଣ୍ଣ ରୂପେ ସଫା କରିଛନ୍ତି।ଗ୍ରାମବାସୀଙ୍କ ଏହି ମିଳିତ ଶ୍ରମଦାନ ପରେ ଶ୍ରୀହୀନ ହୋଇପଡ଼ିଥିବା ପବିତ୍ର ରାଧାକୃଷ୍ଣ ପୀଠର ପରିବେଶ ଏବେ ପୁଣି ଥରେ ସ୍ୱଚ୍ଛ, ନିର୍ମଳ ଓ ସୁନ୍ଦର ରୂପ ଧାରଣ କରିଛି। ପ୍ରଶାସନର ସହଯୋଗ ବିନା ଗ୍ରାମବାସୀମାନେ ଏକାଠି ହୋଇ ଯେଭଳି ଭାବେ ନିଜ ପବିତ୍ର ପୀଠର ସୁରକ୍ଷା ଓ ସ୍ୱଚ୍ଛତା ପାଇଁ ଆଦର୍ଶ ଉଦାହରଣ ସୃଷ୍ଟି କଲେ, ତାହାକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଉଛି। ତେବେ ଗ୍ରାମ୍ୟ ପରିମଳ ପାଇଁ ପ୍ରଶାସନ ର ନିଦ କେବେ ଭାଙ୍ଗିବ ଦେଖିବାକୁ ବାକି ରହିଲା।
