୧୫ ଫୁଟର ଅଜଗର ଉଦ୍ଧାର
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ମାଛ ଧରିବା ଜାଳରେ ଅଜଗର। ଲୋଙ୍କେ ଆତଙ୍କିତ। ସୋର ବ୍ଳକ ମାଣିପୁର ପଞ୍ଚାୟତ ମୁଣ୍ଡିବର ଗ୍ରାମରେ ମାଛ ଧରିବା ପାଇଁ ବସାଯାଇଥିବା ଜାଲରୁ ଏକ ୧୫ ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରି କୁଲଡିହା ଜଙ୍ଗଲରେ ଛଡ଼ା ଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ଉକ୍ତ ଗ୍ରାମର ଜଣେ ଚାଷୀ ମାଛ ଧରିବାକୁ ନିଜ ବିଲରେ ଏକ ଜାଲ ବସାଇଥିଲେ। ଗୁରୁବାର ସକାଳେ ଚାଷୀ ଜାଲରୁ ମାଛ ବାହାର କରିବାକୁ ଯାଇଥିବା ବେଳେ ଜାଲରେ ୧୫ ଫୁଟ ଲମ୍ବର ଏକ ଅଜଗର ସାପ ପଡ଼ିଥିବାର ଦେଖି ଗ୍ରାମବାସୀଙ୍କ ସମେତ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଖୁଣ୍ଟା ପାଟଣା ସେକ୍ସନର ବନ ବିଭାଗ କର୍ମଚାରୀ ଫରେଷ୍ଟର ମିନତୀ ମାଝୀ, ଫରେଷ୍ଟ ଗାର୍ଡ ପ୍ରମିଳା ସେଣ ଓ ଦେବେନ୍ଦ୍ର ରାଉତ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି କୁଲଡିହା ଅଭୟାରଣ୍ୟରେ ଛାଡ଼ି ଦେଇଛନ୍ତି ।
