ଚାର୍ଜିଙ୍ଗ ବେଳେ ଫାଟିଲା ଇଭି, ଦୁଇ ଗାଡି ନଷ୍ଟ: ଅଳ୍ପକେ ବର୍ତ୍ତିଲେ ପରିବାର
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ୬ ମାସ ରେ ଫାଟିଲା ଇଭି। ଚାର୍ଜରେ ବସିଥିଲା ଇ ସ୍କୁଟି, ୧୦ ମିନିଟ ପରେ ହେଲା ବିସ୍ଫୋରଣ, ଆଉ ତାପରେ ସବୁ ହେଲା ଭସ୍ମିଭୂତ ଚାରିଆଡେ ଧୂଆଁ ଆଉ ଧୂଆଁ। ସୋର ପୌରପାଳିକା ୦୧ ନଂ ୱାର୍ଡ଼ ବଡ଼ଖୁରୀ ପଦ୍ମପୋଖରୀ ପାଖରେ ଘର କରି ରହୁଥିବା ବିହାରର ପ୍ରେମ କୁମାର ଦାସ ଗୁପ୍ତାଙ୍କୁ ବ୍ୟାଟେରୀ ସ୍କୁଟି ଚାର୍ଜ ଲାଗିଥିବା ବେଳେ ନିଆଁ ଲାଗି ଫାଟି ଭସ୍ମିଭୂତ ହୋଇଯାଇଛି। ସୂଚନା ଅନୁସାରେ ଆଜି ଭୋର ୦୪. ୧୦ ରେ ପ୍ରେମ କୁମାର ସ୍କୁଟି ଚାର୍ଜରେ ବସାଇ ଘର ବାହାରକୁ ଯାଇଥିଲେ। ବାହାରୁ ଆସି ଘର ଭିତରକୁ ଗଲା ବେଳକୁ ସ୍କୁଟିରେ ନିଆଁ ଲାଗି ଫାଟି ସାରା ଘର ଧୂଆଁମୟ ହୋଇଯାଇଥିଲା। ପ୍ରେମ କୁମାରଙ୍କୁ ପୁଅଙ୍କ କହିବା ଅନୁସାରେ ଉକ୍ତ ସ୍କୁଟିଟି ସୋର ଷ୍ଟେସନ ଛକରେ ଥିବା ମା ଦୁର୍ଗା ଇଭି ସ୍କୁଟର ଶୋରୁମରୁ ମାର୍ଚ୍ଚ ୧୨ରେ ୧ ଲକ୍ଷ ଟଙ୍କା ଦେଇ କିଣି ଥିଲେ। ଉକ୍ତ ଗାଡ଼ିର ଚାର୍ଜର ଖରାପ ହୋଇଯିବା ପରେ ଅନ୍ୟ ଏକ କମ୍ପାନୀର ଚାର୍ଜର ଶୋରୁମ ତରଫରୁ ଦିଆଯାଇଥିଲା। ଉକ୍ତ ସ୍କୁଟିର ବିସ୍ଫୋରଣରେ ପାଖରେ ରଖାଯାଇଥିବା ଓଡି୦୧ଏଭି୪୫୯୮ ନଂ ବିଶିଷ୍ଟ ଟିଭିଏସ କମ୍ପାନୀର ୧୨୫ ସିସିର ଜୁପିଟର ସ୍କୁଟିଟି ସମ୍ପୂର୍ଣ୍ଣ ରୂପେ ପୋଡ଼ି ଭସ୍ମିଭୂତ ହୋଇଯାଇଛି। ଉପରେ ଥିବା ଏକ ସିଲିଂ ଫ୍ୟାନ ନଷ୍ଟ ହୋଇଯାଇଛି। ଖବର ପାଇ ସୋର ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚିବା ବେଳକୁ ଉଭୟ ଇ ସ୍କୁଟି ଓ ଟିଭିଏସ ସ୍କୁଟି ସମ୍ପୂର୍ଣ୍ଣ ରୂପେ ଜଳି ପୋଡ଼ି ଭସ୍ମିଭୂତ ହୋଇ ଯାଇଥିଲା।
